ନୂଆଦିଲ୍ଲୀ,୨।୨: ଭାରତୀୟ ସାମଗ୍ରୀ ଉପରେ ଆମେରିକା ଶୁଳ୍କ କୋହଳ କରିଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଟ୍ୟାରିଫ୍ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା। ‘ମେଡ୍ ଇନ୍ ଇଣ୍ଡିଆ’ ସାମଗ୍ରୀ ଉପରେ ଶୁଳ୍କ କମିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବିଶ୍ୱର ଦୁଇଟି ବୃହତ ଅର୍ଥନୀତି ଏବଂ ଗଣତନ୍ତ୍ର ଏକାଠି କାମ କରନ୍ତି, ସେତେବେଳେ ଉଭୟ ଦେଶର ଜନସାଧାରଣ ଉପକୃତ ହୁଅନ୍ତି ଏବଂ ଏହା ପାରସ୍ପରିକ ସହଯୋଗ ପାଇଁ ଅପାର ସୁଯୋଗ ସୃଷ୍ଟି କରେ। ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଟ୍ରମ୍ପଙ୍କ ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ମୋଦି ଭାରତ ଓ ଆମେରିକାର ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।