Dillika Babu: Dillip Cherian
ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ଅମିତ୍ ଖାରେଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀଙ୍କ ପାଳି ଶେଷ ହେବାକୁ ଥିବା ମେ ୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଘଟଣାକ୍ରମରେ ଖାରେ ଖୁବ୍ ଶୀଘ୍ର ଏହି ପଦବୀରେ ପହଞ୍ଚତ୍ପାରିଥିଲେ। ସେପ୍ଟେମ୍ବର ୨୦୨୧ରେ ଉଚ୍ଚଶିକ୍ଷା ସଚିବ ଭାବରେ ଅବସର ଗ୍ରହଣ କରିବାର ମାତ୍ର ଦୁଇ ସପ୍ତାହ ପରେ ପ୍ରଥମେ ସେ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର ଉଲ୍ଲେଖନୀୟ କ୍ୟାରିୟର ଯୋଗୁ ସରକାରଙ୍କ ସର୍ବୋଚ୍ଚ ସ୍ତର ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଥିଲା ଓ ଏହି ନିଯୁକ୍ତି ତାହାର ଏକ ଉଦାହରଣ। ଏଥିସହ ଉଚ୍ଚଶିକ୍ଷା ସଚିବ ଭାବରେ କାର୍ଯ୍ୟ କରୁଥିବାବେଳେ ଖାରେ ସୂଚନା ଏବଂ ପ୍ରସାରଣର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ତାଙ୍କୁ ଏକ ବର୍ଷରୁ ଅଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସହିତ ସମନ୍ବୟ ରକ୍ଷା କରିବାର ଅପୂର୍ବ ସୁଯୋଗ ପ୍ରଦାନ କରିଥିଲା। ଖାରେଙ୍କ କାର୍ଯ୍ୟକାଳର ବୃଦ୍ଧି ଅନେକ ବିଷୟ ସୂଚିତ କରେ। ଏହା ସରକାରଙ୍କ ମଧ୍ୟରେ ନିରନ୍ତରତା ଏବଂ ସ୍ଥିରତା ପାଇଁ ଏକ ପ୍ରତିବଦ୍ଧତାର ସଙ୍କେତ ଦିଏ, ରାଜ୍ୟ ବ୍ୟବସ୍ଥାର ପରିଚାଳନାରେ ଅଭିଜ୍ଞତା ଏବଂ ଆନୁଷ୍ଠାନିକ ସ୍ମୃତିର ଗୁରୁତ୍ୱ ଉପରେ ଧ୍ୟାନ ଦିଏ। ନିଃସନ୍ଦେହ ଯେ, ଦୁଇଟି ବିଭାଗର ଦାୟିତ୍ୱରେ ଥିବା ସମୟରେ ଖାରେଙ୍କ ପାରଦର୍ଶିତା ଏବଂ ପିଏମ୍ଓ ସହିତ ଘନିଷ୍ଠତା ଏବକାର କାର୍ଯ୍ୟକାଳ ବୃଦ୍ଧିକୁ ସୁନିଶ୍ଚିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ପରିବର୍ତ୍ତନ ପାଇର୍ଁ ପ୍ରସ୍ତୁତ
ଅନୌପଚାରିକ ଭାବେ ଲୋକଙ୍କ ମଧ୍ୟରେ ଘୂରି ବୁଲୁଥିବା ଖବରକୁ ଯଦି ବିଶ୍ୱାସ କରାଯାଏ ତେବେ ସମ୍ଭବତଃ କୁହାଯାଇପାରେ ଯେ, ବିହାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜବିନ୍ଦର ସିଂ ଭଟ୍ଟି କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ କିମ୍ବା କେନ୍ଦ୍ରୀୟ ପୋଲିସ ସଂଗଠନରେ ଏକ ମହାନିର୍ଦ୍ଦେଶକ (ଡିଜି) ପଦବୀ ହାସଲ କରିବା ପାଇଁ ସତର୍କତାର ସହ ଅନ୍ବେଷଣ କରୁଛନ୍ତି। ଉଲ୍ଲେଖନୀୟ ଯେ, ଡିସେମ୍ବର ୨୦୨୨ରେ ଭଟ୍ଟି ଡିଜିପି ହେଲାବେଳେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ତଥା ଦିଲ୍ଲୀର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ) ଭାବେ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଏକ ତ୍ରୁଟିଶୂନ୍ୟ ରେକର୍ଡ ରହିଛି। ତେବେ ରାଜ୍ୟରେ ଡିଜିପି ହେବାର ଏକ ବର୍ଷ ମଧ୍ୟରେ କେନ୍ଦ୍ରୀୟ ନିଯୁକ୍ତି ପାଇବାକୁ ତାଙ୍କର ଇଚ୍ଛାକୁ ନେଇ ଯାହା କଳ୍ପନା କରାଯାଉଛି ତାହା ଉପରେ ପ୍ରଶ୍ନ ଉଠିଛି ଓ ଏକ ସମ୍ଭାବନା ବି ବଢ଼ିଛି। ସୂତ୍ରରୁ ପ୍ରକାଶ, ବିହାର କ୍ୟାଡରର କେତେଜଣ ବରିଷ୍ଠ ଅଧିକାରୀ ବିଶ୍ୱାସ କରନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ହାତ ଛାଡ଼ିବା ପରେ ଭଟ୍ଟିି ରାଜ୍ୟର ପରିବର୍ତ୍ତିତ ସ୍ଥିତିକୁ ଠିକ୍ ବାଟରେ ନେବା ଲାଗି ସଂଘର୍ଷ କରୁଥାଇପାରନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିହାରରେ ବିଶେଷକରି ଆଶା ଓ ଆହ୍ବାନରେ ପରିପୂର୍ଣ୍ଣ ଆର୍ଜେଡି-ଜେଡିୟୁ ସରକାରରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଏକ କଷ୍ଟକର ଦାୟିତ୍ୱ ହୋଇପାରେ। ତେଣୁ ଭଟ୍ଟି କେନ୍ଦ୍ରରେ ଅଧିକ ଶାନ୍ତିପୂର୍ଣ୍ଣ କାର୍ଯ୍ୟ କରିବାକୁ ଉତ୍ସୁକ କି? କୌତୂହଳର ବିଷୟ, ସିଆଇଏସଏଫ୍ରେ ଏକ ନୂତନ ଡିଜି ନିଯୁକ୍ତ କରିବାରେ ଅଧିକ ବିଳମ୍ବ ହେବା ହିଁ ଏବକାର କଳ୍ପନାଜଳ୍ପନାର କାରଣ ହୋଇଛି। ବିହାରରୁ କେନ୍ଦ୍ରକୁ ଭଟ୍ଟିଙ୍କ ସମ୍ଭାବ୍ୟ ପରିବର୍ତ୍ତନ ଯଦି ବାସ୍ତବରୂପ ନିଏ ତେବେ ତାହାକୁ ଆଗ୍ରହର ସହ ନିରୀକ୍ଷଣ କରାଯିବ ।
କଡ଼ା ବାର୍ତ୍ତା
ସଚ୍ଚୋଟତା ଅଭାବ ଏବଂ ଅପାରଗତା ଆଧାରରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଇଏଏସ୍ ଅଧିକାରୀ ରିଙ୍କୁ ଡୁଗ୍ଗାଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ନିଷ୍ପତ୍ତି ପ୍ରାୟ ଦୁଇମାସ ପୂର୍ବରୁ ଘୋଷଣା କରାଯାଇଥିଲା। କୌତୂହଳର ବିଷୟ ହେଉଛି, ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଡୁଗ୍ଗା ଏବଂ ତାଙ୍କ ସ୍ବାମୀ ଆଇଏଏସ୍ ଅଧିକାରୀ ସଞ୍ଜୟ ଖୀରୱାରଙ୍କ ବିବାଦୀୟ ଘଟଣା ସହିତ କିଛି ସମ୍ପର୍କ ନାହିଁ। ଗତ ବର୍ଷ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ସେମାନଙ୍କ କୁକୁର ଚଲାବୁଲା କରିବା ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ନେଇ ଏହି ଦମ୍ପତିଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଷ୍ଟାଡିୟମରେ ଥିବା ସୁବିଧାସୁଯୋଗର ଅପବ୍ୟବହାର ଅଭିଯୋଗରେ ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ) ସେତେବେଳେ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଏହି ଦମ୍ପତିଙ୍କୁ ବଦଳି କରିଥିଲେ। ଏହି ଅଧ୍ୟାୟ ପରେ ଖୀରୱାରଙ୍କୁ ଲଦାଖକୁ ସ୍ଥାନାନ୍ତର କରାଯିବା ସହ ଡୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶରେ ପୁନଃନିଯୁକ୍ତ କରାଯାଇଥିଲା। ଅବସର ପାଇଁ ସରକାରୀ ନିର୍ଦ୍ଦେଶ ଏମ୍ଏଚ୍ଏରୁ ଦିଆଯାଇଥିଲା। କାରଣ ଡୁଗ୍ଗା ୧୯୯୪ ବ୍ୟାଚ୍ ଏଜିଏମୟୁଟି କ୍ୟାଡର ଅଧିକାରୀ ହୋଇଥିବାରୁ ସେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପରିବର୍ତ୍ତେ ଗୃହ ମନ୍ତ୍ରଣାଳୟର ଅଧୀନରେ ରହିଥିଲେ। ଲୋକ ସଭାରେ ପ୍ରକାଶ ପାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ବିଗତ ୩ ବର୍ଷ ମଧ୍ୟରେ ୧୨୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ଡୁଗ୍ଗାଙ୍କ ଘଟଣା କର୍ତ୍ତବ୍ୟର ସୀମା ଟପୁଥିବା ବାବୁମାନଙ୍କ ପାଇଁ ଏକ ସତର୍କ ଘଣ୍ଟି। ପଦବୀ ଏବଂ କ୍ଷମତାର ଅପବ୍ୟବହାର କରୁଥିବା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବାରେ ଡୁଗ୍ଗ୍ାଙ୍କ ଘଟଣା ଏକ କଡ଼ା ବାର୍ତ୍ତା।
Email: dilipcherian@gmail.com