ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜୁନ ୨୦୧୬ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃ ଅଭିଯାନ ପ୍ରତ୍ୟେକ ମାସ ଭଳି ଏପ୍ରିଲ-୨୦୨୬ ମାସର ୯ରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

ଏହି ଅଭିଯାନରେ ବିଭିନ୍ନ ଅଞ୍ଚଳରୁ ୭୯ ଜଣ ଗର୍ଭବତୀ ମହିଳାଙ୍କୁ ଦ୍ୱିତୀୟ ଓ ତୃତୀୟ ତ୍ରୈମାସିକରେ ମାଗଣାରେ ଗୁଣାତ୍ମକ ପ୍ରସବ ପୂର୍ବ ଯାଞ୍ଚ ସୁବିଧା ଯୋଗାଇ ଦିଆଯିବା ସହ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭାବସ୍ଥା ଥିବା ମହିଳାଙ୍କର ଚିହ୍ନଟ, ଅଭିଜ୍ଞ ଚିକିତ୍ସକଙ୍କ ଦ୍ବାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା, ପରିସ୍ରା ପରୀକ୍ଷା, ରକ୍ତଚାପ ମାପ, ପରାମର୍ଶ ସେବା, ପୃଷ୍ଟିକର ଖାଦ୍ୟ ଏବଂ ଆବଶ୍ୟକସ୍ଥଳେ ଅଲଟ୍ରାସାଉଣ୍ଡ ସେବା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଇଥିଲା।

ଏହି ଅଭିଯାନରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡା. ରବିନ୍ଦ୍ରନାଥ ଖଟୁଆ, ଡା. ମଙ୍ଗଳ ହାଁସଦା ଓ ଡା. ଈଶିକା ଅଗ୍ରୱାଲ ଗର୍ଭବତି ମା’ ମାନଙ୍କର ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ । ପରାମର୍ଶଦାତା ସରିତା ଶର୍ମା ଓ ବିଭୁ ପ୍ରସାଦ ମହାପାତ୍ର ପରାମର୍ଶ ସେବା ପ୍ରଦାନ କରିଥିଲେ। ଏଥିସହ ସୁପରଭାଇଜର ଭଗବାନ ଗହିର, ସ୍ବାସ୍ଥ୍ୟକର୍ମୀ ଜିତେନ୍ଦ୍ର କୁମାର ଦାସ, ସେତବାହାନ ଭୋଇ, ଦୀପକ କୁମାର ନାଗ, ଆଶାକର୍ମୀ ପ୍ରେମାଞ୍ଜଳୀ ସାହା ଓ ସୁଜାତା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ହରେକୃଷ୍ଣ ଶତପଥି ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ଅଧିକାରୀ ଦିଲୀପ କୁମାର ଦୁବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେସିଙ୍ଗା ପରିଦର୍ଶନ କରିଥିଲେ ଏବଂ ଅଭିଯାନରେ ପ୍ରଦାନ କାରଯାଉଥିବା ବିଭିନ୍ନ ସେବାର ଗୁଣବତା ଉପରେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଚିକିତ୍ସାଳୟରେ ସୁରକ୍ଷିତ ପ୍ରସବ ପାଇଁ ମହିଳାମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ ଶିଶୁ ମାତୃ ମୃତ୍ୟୁ ହାର ହ୍ରାସ କରିବାରେ ବଡ଼ ସଫଳତା ମିଳିଛି ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀ ଡାକ୍ତର ନିଜର ମତ ପ୍ରକାଶ କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେସିଙ୍ଗାର ହିସାବ ନିରୀକ୍ଷକ ବିଶ୍ୱଭୂଷଣ ପଧାନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 

Share