India-China Dispute: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ଭୟରେ ଛାନିଆ ହେଲା ଚାଇନା

ଓ୍‌ବାଶିଂଟନ୍‌,୧୪।୨: ଗୁରୁବାର ସାରେ (ଶୁକ୍ରବାର ସକାଳ ୫ଟା ଭାରତୀୟ ସମୟ) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରସ୍ତାବ ଦେଇଛନ୍ତି। ସେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ସେ ଏହି ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ କରିବାରେ ସାହାଯ୍ୟ କରିପାରିବେ, ତେବେ ସେ ଖୁସି ହେବେ। ଏବେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ପ୍ରତିକ୍ରିୟା ଆସିଛି। ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।

ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଏକ ପ୍ରସଙ୍ଗ ଏବଂ ଭାରତ ସବୁବେଳେ ଏପରି ମାମଲାରେ ଦ୍ୱିପାକ୍ଷିକ ଆଭିମୁଖ୍ୟ ଗ୍ରହଣ କରିଆସିଛି। ସେ କହିଛନ୍ତି, ଆମର ଯେକୌଣସି ପଡ଼ୋଶୀ ସହିତ ଆମର ଯେକୌଣସି ସମସ୍ୟା ଥାଏ, ଆମେ କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ତାହାର ସମାଧାନ କରିବାକୁ ପସନ୍ଦ କରିବୁ।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ଚାଇନା ସହ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମୁଁ ଭାରତକୁ ଦେଖୁଛି। ମୁଁ ଚାଇନା ସହିତ ସୀମା ସଂଘର୍ଷ ଦେଖୁଛି। ସେମାନେ ବହୁତ ନିଷ୍ଠୁର, ଯଦି ମୁଁ ସେମାନଙ୍କୁ ରୋକିବା ପାଇଁ କିଛି କରିପାରିବି ତେବେ ମୁଁ ଖୁସି ହେବି।