ନୂଆଦିଲ୍ଲୀ,୨୬ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖ ଦେଶବ୍ୟାପୀ ହ୍ୟୁମ୍ୟାନ୍ ପାଭିଲୋମାଭାଇରସ୍ (ଏଚ୍ପିଭି) ଟିକାକରଣ ଅଭିଯାନ ରାଜସ୍ଥାନର ଆଜମେରରୁ ଶୁଭାରମ୍ଭ କରିବେ। ୧୪ ବର୍ଷ ବୟସର କିଶୋରୀମାନଙ୍କୁ ଏହି ଟିକା ଦିଆଯିବ। ମହିଳାଙ୍କ ମଧ୍ୟରେ ପ୍ରତିକାରଯୋଗ୍ୟ କର୍କଟ ରୋଗକୁ ଦୂର କରିବା ପାଇଁ ଏହି ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏକକ ଡୋଜ୍ ବିଶିଷ୍ଟ ଗାର୍ଡାସିଲ୍ ୪ ହେଉଛି ଏକ କ୍ୱାଡ୍ରିଭ୍ୟାଲେଣ୍ଟ ଏଚ୍ପିଭି ଟିକା ଯାହା ଏଚ୍ପିଭି ଟାଇପ୍ ୧୬, ୧୮, ୬ ଏବଂ ୧୧ରୁ ସୁରକ୍ଷା ଦେବ।
ଏଚ୍ପିଭି ଟାଇପ୍ ୧୬ ଏବଂ ୧୮ ଜରାୟୁ ଗ୍ରୀବା କର୍କଟ ରୋଗ କରାଇଥାଏ। ଟିକାକରଣ ଅଭିଯାନ ନେଇ ସମସ୍ତ ରାଜ୍ୟକୁ ଗତ ୨୫ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ଫେବୃଆରୀ ୨୮ ପୂର୍ବାହ୍ନ ୧୧ଟା ୩୦ ମିନିଟରେ ୧୪ ବର୍ଷୀୟା ସମସ୍ତ କିଶୋରୀଙ୍କୁ ଏହି ଅଭିଯାନରେ ସାମିଲ କରାଯିବାକୁ ଯୋଜନା ହୋଇଛି। ଆଜମେରରୁ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବାକୁ ଥିବାବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ସାମିଲ ହେବେ।