ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇ ନ ଦେବା ଏବଂ ପ୍ରୋଟୋକଲ ପାଳନ କରାଯାଇ ନ ଥିବା ଅଭିଯୋଗ କରି ରାଷ୍ଟ୍ରପତି ନିଜେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମସି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ମମତା ବାନାର୍ଜୀ ମଧ୍ୟ କଡ଼ା ଜବାବ ଦେଇଛନ୍ତି।

ତେବେ ରାଷ୍ଟ୍ରପତି କହିଥିଲେ ଯେ,”ମୁଁ ମଧ୍ୟ ବଙ୍ଗଳାର ଝିଅ ଏବଂ ମମତା ଦିଦି ମୋ ଭଉଣୀ ଭଳି। କିନ୍ତୁ ପ୍ରଶାସନ ସମ୍ମିଳନୀ ପାଇଁ ଏମିତି ଏକ ଦୂର ସ୍ଥାନ ବାଛିଲେ ଯେଉଁଠାକୁ ସାନ୍ତାଳ ଲୋକମାନେ ଆସିପାରିଲେ ନାହିଁ। ରାଷ୍ଟ୍ରପତି ଆସିବା ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଉପସ୍ଥିତ ରହିବା ଉଚିତ, କିନ୍ତୁ ସେମାନେ ଆସିଲେ ନାହିଁ।”

ଏହାପରେ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ। ଟିଏମ୍‌ସି ସରକାର ସବୁ ସୀମା ଅତିକ୍ରମ କରିଛନ୍ତି ଏବଂ ରାଷ୍ଟ୍ରପତିଙ୍କ ପଦର ମର୍ଯ୍ୟାଦା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସାନ୍ତାଳ ସଂସ୍କୃତି ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅବହେଳା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତିଙ୍କ ବୟାନକୁ ଭାଜପା ପ୍ରୟୋଜିତ ବୋଲି କହିଛନ୍ତି। ସେ କହିଛନ୍ତି, “ମ୍ୟାଡାମ, ଆପଣ ଦେଶର ନମ୍ବର ୧ ପଦବୀରେ ଅଛନ୍ତି, ନିର୍ବାଚନ ସମୟରେ ଭାଜପା କହିବା ଅନୁଯାୟୀ ରାଜନୀତି କରନ୍ତୁ ନାହିଁ।”ଯେତେବେଳେ ମଧ୍ୟପ୍ରଦେଶ କିମ୍ବା ଛତିଶଗଡ଼ରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହୁଏ, ସେତେବେଳେ ରାଷ୍ଟ୍ରପତି କାହିଁକି ଚୁପ ରୁହନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ଭାଜପା ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଥିଲା ଏବଂ ପରେ ତାଙ୍କୁ ଅଣଦେଖା କରାଗଲା।

Dharitri – Odisha’s No.1 Odia Daily

Share