ସୋସିଆଲ୍‌ ମିଡିଆ ‘ଟ୍ରୁଥ୍‌’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି: ପ୍ରଥମେ ଏହି ୨ ଜଣଙ୍କୁ କଲେ ଫଲୋ

ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ସ୍ବତନ୍ତ୍ର ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଆମେରିକୀୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଥିବା ସ୍ବତନ୍ତ୍ର ସମ୍ପର୍କକୁ ଦର୍ଶାଉଛି । ଟ୍ରୁଥ ସୋସିଆଲ ହେଉଛି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହାକୁ ସେ ସମଗ୍ର ବିଶ୍ୱକୁ ବାର୍ତ୍ତା ପଠାଇବା ପାଇଁ ବ୍ୟବହାର କରନ୍ତି । ଟ୍ରୁଥ ସୋସିଆଲରେ ନିଜର ପ୍ରଥମ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ଟ୍ରୁଥ ସୋସିଆଲରେ ଯୋଗଦେଇ ମୁଁ ବହୁତ ଖୁସି। ଭବିଷ୍ୟତରେ ସମଗ୍ର ବିଶ୍ୱର ନେତାମାନଙ୍କ ସହ ବାର୍ତ୍ତାଳାପ କରିବା ଏବଂ ଅର୍ଥପୂର୍ଣ୍ଣ କଥାବାର୍ତ୍ତା କରିବାକୁ ମୁଁ ଆଗ୍ରହୀ।

ସେପ୍ଟେମ୍ବର ୨୨, ୨୦୧୯ରେ ଟେକ୍ସାସର ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ହାତ ମିଳାଉଥିବାର ଏକ ଫଟୋ ପୋଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ରେ ଟ୍ରୁଥ ସୋସିଆଲ ଆପ ଲଞ୍ଚ କରିଥିଲେ। ୨୦୨୧ରେ କ୍ୟାପିଟାଲ ହିଲ ଦଙ୍ଗା ପରେ ଟ୍ରମ୍ପଙ୍କୁ ଫେସବୁକ ଓ ଟୁଇଟରରୁ ନିଷିଦ୍ଧ କରାଯାଇଥିଲା।

ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲ ଆପରେ ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୋଡକାଷ୍ଟ ଶେୟାର କରିଥିଲେ। ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଯୋଗ ଦେଇଥିଲେ। ଟ୍ରୁଥ ସୋଶାଲରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଫଲୋ କରିଥିଲେ।

Share