ନୂଆଦିଲ୍ଲୀ,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ISS)ରେ ଉପସ୍ଥିତ ଭାରତୀୟ ବାୟୁସେନା ଅଧିକାରୀ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଛନ୍ତି। ଏହି କଥାବାର୍ତ୍ତା କେବଳ ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ନୁହେଁ, ବରଂ ଭାରତର ବୈଜ୍ଞାନିକ କ୍ଷମତା ଏବଂ ବିଶ୍ୱ ମହାକାଶ ଗବେଷଣାରେ ଏହାର ଦୃଢ଼ ଅଂଶଗ୍ରହଣର ପ୍ରତୀକ। ମୋଦି ଭିଡିଓ କଲ ମାଧ୍ୟମରେ ଶୁଭାଂଶୁଙ୍କ ସହ ଯୋଗାଯୋଗ କରିବା ସମୟରେ ତାଙ୍କ ସାହସ ଏବଂ ଯୋଗଦାନକୁ ପ୍ରଶଂସା କରିଥିଲେ। ପରେ ଶୁଭାଂଶୁ ମହାକାଶରୁ ଭାରତ ଭବ୍ୟ ଦେଖାଯାଉଥିବା କହିଥିବା ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଏହାଛଡ଼ା ଶୁଭାଂଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗାଜର ହାଲୱା ଏବଂ ଆମ୍ବ ରସ ମହାକାଶକୁ ନେବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହା କେବଳ ମୋର ଯାତ୍ରା ନୁହେଁ, ବରଂ ଆମ ଦେଶର ଯାତ୍ରା ମଧ୍ୟ, ମୁଁ ଭାରତକୁ ପ୍ରତିନିଧିତ୍ୱ କରି ଗର୍ବିତ।
ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଜୁନ ୨୫ ତାରିଖରେ ନାସାର କେନେଡି ସ୍ପେସ ସେଣ୍ଟରରୁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ରେ ISS ପାଇଁ ବାହାରିଥିଲେ। ଏହି ମିଶନ Axiom-4 ର ଏକ ଅଂଶ।
ରାକେଶ ଶର୍ମାଙ୍କ ପରେ, ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ମଧ୍ୟ 41 ବର୍ଷରୁ ଅଧିକ ସମୟ ମଧ୍ୟରେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ହୋଇଥିଲେ, ଯାହା ଦେଶ ପାଇଁ ଏକ ଐତିହାସିକ ମୂହୁର୍ତ୍ତରେ ପରିଣତ ହୋଇଥିଲା।
ଆକ୍ସିଅମ-4ର ସଫଳ ଉତ୍କ୍ଷେପଣ ପରେ, ପ୍ରଧାନମନ୍ତ୍ରୀ ମୋଦି ମିଶନ ପାଇଲଟ ଶୁକ୍ଲା ଏବଂ ଅନ୍ୟାନ୍ୟ କ୍ରୁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ ସଫଳତା କାମନା କରିଥିଲେ।