ଉଦ୍‌ଘାଟିତ ହେଲା ‘କର୍ତ୍ତବ୍ୟ ପଥ’, ଦେଶ ପାଇଁ ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୮।୯: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁର ଉଦ୍‌ଘାଟନ କରିଛନ୍ତି। ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଥିଲେ। ଏହା ପୂର୍ବରୁ କର୍ତ୍ତବ୍ୟ ପଥରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ଫୁଟ୍‌ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ମୋଦି ଉନ୍ମୋଚନ କରିଥିଲେ। ଏହାର ଓଜନ ପ୍ରାୟ ୬୫ମେଟ୍ରିକ୍‌ ଟନ୍‌। ତେବେ କର୍ତ୍ତବ୍ୟ ପଥକୁ ଉଦ୍‌ଘାଟନ କରି ମୋଦି କହିଛନ୍ତି ଆଜିର ଦିନ ଦେଶ ପାଇଁ ଏକ ଐତିହାସିକ ଦିନ। ଆଜାଦୀର ଅମୃତ ମହୋତ୍ସବରେ ଦେଶକୁ ଏକ ପ୍ରେରଣା ମିଳିଛି ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା ନିର୍ମାଣକୁ କେହି ଯେପରି ନ ଭାଙ୍ଗେ କିମ୍ବା ଚୋରି ନ କରେ, ସେଥିପାଇଁ ସୁରକ୍ଷା ଦାୟିତ୍ୱରେ ୮୦ରୁ ଊର୍ଦ୍ଧ୍ୱ ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ଏତଦ୍‌ ବ୍ୟତୀତ ପୋଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ। ଦୁଇମାସ ପର୍ଯ୍ୟନ୍ତ କର୍ତ୍ତବ୍ୟ ପଥରେ ବ୍ୟାପକ ପୋଲିସ ଓ ସୁରକ୍ଷା କର୍ମୀ ନିୟୋଜିତ ରହିବେ ବୋଲି ଜଣାପଡ଼ିଛି। ତେବେ ଦର୍ଶକମାନଙ୍କ ପାଇଁ ବିଶେଷ କଟକଣା ରହିବ ନାହିଁ। ଯୋଜନା ଅନୁଯାୟୀ ଇଣ୍ଡିଆ ଗେଟ୍‌ରୁ ମାନ୍‌ ସିଂ ରୋଡ୍‌ ପର୍ଯ୍ୟନ୍ତ ଉଦ୍ୟାନ ଅଞ୍ଚଳରେ ଖାଦ୍ୟ ସାମଗ୍ରୀକୁ ଅନୁମତି ମିଳିବ ନାହିଁ। ଦେଶର କ୍ଷମତା କେନ୍ଦ୍ର ହେବାକୁ ଯାଉଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନୂଆ ପାର୍ଲାମେଣ୍ଟ ଭବନ, କେନ୍ଦ୍ରୀୟ ସଚିବାଳୟ, ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ଓ କାର୍ଯ୍ୟାଳୟ ଏବଂ ଉପରାଷ୍ଟ୍ରପତିଙ୍କ ଏନ୍‌କ୍ଲେଭ୍‌ ରହିବ। ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ଚୌହାନ ସମେତ ଅନେକ ନେତାମନ୍ତ୍ରୀ ସାମିଲ ହୋଇଥିଲେ।

Share