ନୂଆଦିଲ୍ଲୀ,୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଚାମ୍ପିଅନ୍ ଆଥଲେଟ୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ତଥା ସେମାନଙ୍କ ସଫଳତାର କାହାଣୀ ଶୁଣିବାର ପରମ୍ପରା ବଜାୟ ରଖି ମୋଦି ଅଧିନାୟିକା ହରମନପ୍ରୀତ କୌର ଏବଂ ସମଗ୍ର ଦଳକୁ ସ୍ୱାଗତ କରିଥିଲେ।
ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ରବିବାର ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ବାସଭବନ ‘୭, ଲୋକ କଲ୍ୟାଣ ମାର୍ଗ’ରେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ଦଳର ଖେଳାଳିମାନେ ମୁଖ୍ୟ କୋଚ୍ ଅମୋଲ ମଜୁମଦାରଙ୍କ ସହ ମୁମ୍ବାଇରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଥିଲେ।