India-Bangladesh: ହାସିନାଙ୍କୁ ନେଇ ଉତ୍ତେଜନା ମଧ୍ୟରେ ଭେଟିପାରନ୍ତି ମୋଦି-ୟୁନୁସ୍‌

ନୂଆଦିଲ୍ଲୀ/ଢାକା,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଭେଟିପାରନ୍ତି। ଏହି ବୈଠକ ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ସମ୍ମିଳନୀ ସମୟରେ ହୋଇପାରେ। ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରଠାରୁ, ମହମ୍ମଦ ୟୁନୁସ୍‌ ସେଠାକାର ମୁଖ୍ୟ ପରାମର୍ଶଦାତା ଭୂମିକାରେ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଏବେ ଏହି ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଆଲୋଚନାର ସମ୍ଭାବନା ଥିବାରୁ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ମଧ୍ୟ ହ୍ରାସ ପାଇବାର ଆଶା କରାଯାଉଛି।

ପ୍ରକୃତରେ, ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ଭାରତ ସରକାର ବାଂଲାଦେଶରେ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ପ୍ରଶାସନ ଉପରେ ସଂଖ୍ୟାଲଘୁମାନଙ୍କୁ ନିର୍ଯାତନା ଦେବାର ଅଭିଯୋଗ ଲଗାତାର କରିଆସୁଛି, ଯେତେବେଳେ ଭାରତ ଶେଖ ହାସିନାଙ୍କୁ ଆଶ୍ରୟ ଦେଇଥିବାରୁ ବାଂଲାଦେଶ ବିରକ୍ତ।

BIMSTECରେ ବାଂଲାଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ଏହି ଗୋଷ୍ଠୀ ବଙ୍ଗୋପସାଗର ସଂଲଗ୍ନ ଏହି ଦେଶଗୁଡ଼ିକ ମଧ୍ୟରେ ବୈଷୟିକ ଏବଂ ଅର୍ଥନୈତିକ ସମେତ ଅନେକ କ୍ଷେତ୍ରରେ ସହଯୋଗ ପାଇଁ ଏକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ୨୦୧୮ରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ବିମଷ୍ଟେକ ସମ୍ମିଳନୀରେ ଯୋଗ ଦେଇଥିଲେ। ଶେଷ BIMSTEC ସମ୍ମିଳନୀ ୨୦୨୨ରେ ଶ୍ରୀଲଙ୍କା ଦ୍ୱାରା ଭର୍ଚୁଆଲ ଭାବରେ ଆୟୋଜନ କରାଯାଇଥିଲା।