୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ, ସଦ୍ୟତମ ସୂଚନା ଅନୁଯାୟୀ ଏହି ଟଙ୍କା ମାର୍ଚ୍ଚ ୨୦୨୬ ସୁଦ୍ଧା ଚାଷୀଙ୍କ ଖାତାକୁ ଆସିପାରେ। ପୂର୍ବରୁ ହୋଲି ପୂର୍ବରୁ ଏହି କିସ୍ତି ମିଳିବ ବୋଲି ଚର୍ଚ୍ଚା ହେଉଥିଲା।

ଉଲ୍ଲେଖଯୋଗ୍ୟ ଯେ, ୨୪ ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ୭ ବର୍ଷ ପୂରଣ କରିଛି। ଏହି ଅବସରରେ ସରକାର କହିଛନ୍ତି ଯେ, “ଅନ୍ନଦାତାଙ୍କ ସମ୍ମାନ ହିଁ ଦେଶର ପ୍ରକୃତ ପରିଚୟ”। କୋଟି କୋଟି ଚାଷୀଙ୍କ ପାଇଁ ଏହି ଯୋଜନା ଏକ ବଡ଼ ସହାରା ପାଲଟିଛି। ବିନା କୌଣସି ମଧ୍ୟସ୍ଥିରେ ଚାଷୀଙ୍କ ଖାତାକୁ ବାର୍ଷିକ ୬,୦୦୦ ଟଙ୍କା ସିଧାସଳଖ ପଠାଯାଉଛି।

ସାଧାରଣତଃ ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କା ମିଳିଥାଏ। କିନ୍ତୁ ଏଥର ବିହାରର ଚାଷୀମାନେ ୨,୦୦୦ ବଦଳରେ ୩,୦୦୦ ଟଙ୍କା ପାଇବେ। ବିହାର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସେଠାକାର ଚାଷୀଙ୍କୁ ଏଣିକି ବାର୍ଷିକ ୯,୦୦୦ ଟଙ୍କା ପ୍ରଦାନ କରାଯିବ।

ଏହି କାରଣରୁ ଅଟକିପାରେ ଆପଣଙ୍କ ଟଙ୍କା?
ଯଦି ଆପଣ ନିମ୍ନଲିଖିତ କାମ କରିନାହାନ୍ତି, ତେବେ ୨୨ତମ କିସ୍ତି ପାଇବାରେ ସମସ୍ୟା ହୋଇପାରେ:

eKYC: ଯେଉଁ ଚାଷୀମାନେ eKYC କରିନାହାନ୍ତି, ସେମାନଙ୍କ ଟଙ୍କା ଅଟକିଯିବ।
ଫାର୍ମର ଆଇଡି (Farmer ID): ନୂତନ ନିୟମ ଅନୁଯାୟୀ ଫାର୍ମର ଆଇଡି ପ୍ରସ୍ତୁତ କରିବା ଅର୍ନିବାର୍ଯ୍ୟ।
ମନେ ରଖନ୍ତୁ:ଗତ ନଭେମ୍ବର ୨୦୨୫ରେ ୨୧ତମ କିସ୍ତି ଜରିଆରେ ୯ କୋଟି ଚାଷୀଙ୍କୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏବେ ସମସ୍ତଙ୍କ ନଜର ମାର୍ଚ୍ଚ ମାସ ଉପରେ ରହିଛି।

Dharitri – Odisha’s No.1 Odia Daily

Share