ପ୍ରଧାନମନ୍ତ୍ରୀ ଦେଶକୁ ବିକ୍ରି କରିଦେଇଛନ୍ତି: ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ଅଭିଯୋଗ

ନୂଆଦିଲ୍ଲୀ,୩।୨: ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର ସଂସଦ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଏବେ ସାଲିସ କରିଛନ୍ତି ଏବଂ ନିଜ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଦେଶକୁ ବିକ୍ରି କରିଦେଇଛନ୍ତି।”

ରାହୁଲଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ଧରି ଅଟକି ରହିଥିବା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ଚାପରେ ପଡ଼ି ସୋମବାର ରାତିରେ ସ୍ୱାକ୍ଷର କରିଛନ୍ତି।
ରାହୁଲ କହିଛନ୍ତି ଯେ ଆମେରିକାରେ ଆଦାନୀଙ୍କ ବିରୋଧରେ ଥିବା ମାମଲା ଏବଂ ‘ଏପଷ୍ଟାଇନ୍ ଫାଇଲ୍ସ’ରୁ ପ୍ରଧାନମନ୍ତ୍ରୀ ଭୟଭୀତ ଅଛନ୍ତି। ନିଜର ଭାବମୂର୍ତ୍ତି ନଷ୍ଟ ହେବା ଭୟରେ ସେ ଏହି ଚୁକ୍ତି କରିଥିବା ରାହୁଲ ଦାବି କରିଛନ୍ତି। ଚାଇନା ପ୍ରସଙ୍ଗ ଏବଂ ପୂର୍ବତନ ସେନା ମୁଖ୍ୟ ନରୱାଣେଙ୍କ ସ୍ମୃତି ଗ୍ରନ୍ଥ ବିଷୟରେ କହିବାକୁ ଅନୁମତି ନ ମିଳିବାରୁ ରାହୁଲ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ‘ଏପଷ୍ଟାଇନ୍ ଫାଇଲ୍ସ’ରେ ଥିବା ଅଭିଯୋଗକୁ ଭାରତ ସରକାର ପୂର୍ବରୁ ହିଁ ଖଣ୍ଡନ କରିସାରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ୨୦୧୭ ଇସ୍ରାଏଲ୍ ଗସ୍ତ ସମ୍ପର୍କିତ ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ଦୁର୍ଭାଗ୍ୟଜନକ।

Share