ନୂଆଦିଲ୍ଲୀ,୨୪ା୧୧: ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିମ୍ବଦନ୍ତୀ ଅଭିନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଧର୍ମେନ୍ଦ୍ର ଜୀଙ୍କ ଦେହାନ୍ତ ଭାରତୀୟ ସିନେମାରେ ଏକ ଯୁଗର ଅନ୍ତ ଘଟାଇଛି। ସେ ଜଣେ ପ୍ରତୀକାତ୍ମକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ, ଜଣେ ଉଲ୍ଲେଖନୀୟ ଅଭିନେତା ଯିଏ ତାଙ୍କ ଅଭିନୀତ ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଏବଂ ଗଭୀରତା ଆଣିଥିଲେ। ସେ ଯେଉଁସବୁ ଭୂମିକାରେ ଅଭିନୟ କରିଥିଲେ ତାହା ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଥିଲା। ଧର୍ମେନ୍ଦ୍ର ଜୀଙ୍କ ସରଳତା, ନମ୍ରତା ପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ମୋର ସମବେଦନା ଜଣାଉଛି।
ଦୀର୍ଘଦିନ ଧରି ଅସୁସ୍ଥ ଥିବା ଧର୍ମେନ୍ଦ୍ରଙ୍କ ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମାଗତ ଭାବରେ ଖରାପ ହେଉଥିଲା। ନିୟମିତ ଯାଞ୍ଚ ଏବଂ ଚିକିତ୍ସା ପାଇଁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ କିଛି ଦିନ ଚିକିତ୍ସା ପରେ, ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା ଏବଂ ତାଙ୍କ ପରିବାର ତାଙ୍କୁ ଚିକିତ୍ସା ପାଇଁ ଘରକୁ ନେଇଯାଇଥିଲେ। ତାଙ୍କ ଘରେ ଧର୍ମେନ୍ଦ୍ରଙ୍କ ଯତ୍ନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଲା।
ଯେକୌଣସି ଜରୁରୀକାଳିନ ପରିସ୍ଥିତିରେ ତୁରନ୍ତ ସହାୟତା ପାଇଁ ଧର୍ମେନ୍ଦ୍ରଙ୍କ ଘରେ ଏକ ଆମ୍ବୁଲାନ୍ସ ଏବଂ ଡାକ୍ତରଙ୍କ ବ୍ୟବସ୍ଥା କରାଯାଇଥିଲା। ତାଙ୍କ ପ୍ରଶଂସକ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସଦସ୍ୟ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ନିୟମିତ ଅପଡେଟ୍ ପାଇ ଚାଲିଥିଲେ। ସଲମାନ ଖାନ, ଶାହାରୁଖ ଖାନ ଏବଂ ଗୋବିନ୍ଦାଙ୍କ ସମେତ ଅନେକ ସେଲିବ୍ରିଟି ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲ ଏବଂ ଘରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବାକୁ ଭେଟିଥିଲେ। ତାଙ୍କ ଦେହାନ୍ତ ଖବର ସମଗ୍ର ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି ଘଟାଇଛି।