New York : Caroline Garcia, of France, reacts after defeating Karolina Pliskova, of the Czech Republic, during the second round of the US Open tennis championships, Wednesday, Sept. 2, 2020, in New York. AP/PTI(AP03-09-2020_000005B)
ନ୍ୟୁୟର୍କ, ୪।୯(ଏପି): ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟପ୍ ସିଡ୍ ମାନ୍ୟତା ପାଇଥିବା ଚେକ୍ ରିପବ୍ଲିକ୍ର କାରୋଲିନା ପ୍ଲିସ୍କୋଭା ଦ୍ୱିତୀୟ ରାଉଣ୍ଡରେ ଫ୍ରାନ୍ସର କାରୋଲିନ୍ ଗାର୍ସିଆଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଗାର୍ସିଆ ୬-୧, ୭-୬ ସେଟ୍ରେ ପ୍ଲିସ୍କୋଭାଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗାର୍ସିଆ ପରବର୍ତ୍ତୀ ରାଉଣ୍ଡରେ ୨୮ତମ ସିଡ୍ ଆମେରିକାର ଜେନିଫର ବ୍ରାଡିଙ୍କୁ ଭେଟିବେ। ବ୍ରାଡି ଅନ୍ୟଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ନିଜ ଦେଶର କାଥେରିନ୍ ବେଲିସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ୧୭ତମ ସିଡ୍ ଖେଳାଳି ଜର୍ମାନୀର ଆଞ୍ଜେଲିକ କର୍ବର ୬-୩, ୭-୬ ସେଟ୍ରେ ଜର୍ମାନୀର ଆନ୍ନା-ଲେନା ଫ୍ରିଏଡ୍ସମଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କର୍ବର ପରବର୍ତ୍ତୀ ରାଉଣ୍ଡରେ ଆମେରିକାର ଅନ୍ ଲି’ଙ୍କୁ ଭେଟିବେ। ଷଷ୍ଠ ସିଡ୍ ଚେକ୍ ଗଣରାଜ୍ୟର ପେଟ୍ରା ଭିଟୋଭା ୭-୬, ୬-୨ ସେଟ୍ରେ ୟୁକ୍ରେନ୍ର କାଟେରିନା କୋଜଲୋଭାଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପରବର୍ତ୍ତୀ ରାଉଣ୍ଡରେ ଆମେରିକାର ଜେସିକା ପେଗୁଲାଙ୍କୁ ଭେଟିବେ। ସେହିପରି ଚତୁର୍ଥ ସିଡ୍ ଜାପାନର ନାଓମି ଓସାକା ୬-୧, ୬-୨ ସେଟ୍ରେ ଇଟାଲୀର କାମିଲା ଜିଓର୍ଜିଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ୟୁକ୍ରେନର କୋଷ୍ଟିଉକଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ ୨୪ତମ ସିଡ୍ ପୋଲଣ୍ଡର ମଗଡା ଲିନେଟ, ୧୪ତମ ସିଡ୍ ଆନେଟ୍ କୋଣ୍ଟାଭେଇଟ୍, ଆମେରିକାର ସେଲ୍ବି ରୋଜର୍ସ, ମାଡିନସନ ବ୍ରେଙ୍ଗଲ୍।