ଅଙ୍ଗନୱାଡ଼ିକେନ୍ଦ୍ର ନିକଟରେ ବସି ଖେଳୁଥିଲେ ଗେମ୍‌: ପରେ ଯାହା ହେଲା…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ନୂଆ ଅନ୍ତେଇ ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ଗ୍ରାମର କାହ୍ନା ସେଠୀ (୧୮) । କାହ୍ନା ସୋମବାର ରାତି ପ୍ରାୟ ୧୧ ଟାରେ ଗ୍ରାମରେ ଥିବା ଅଙ୍ଗନୱାଡ଼ିକେନ୍ଦ୍ର ନିକଟରେ ବସି ନିଜ ମୋବାଇଲରେ ଗେମ ଖେଳୁଥିବା ବେଳେ ଅସାବଧାନତା କାରଣରୁ ସେଠାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ କାହ୍ନାକୁ ବ୍ରହ୍ମପୁର ବଡ ମେଡ଼ିକାଲ ନେଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର କାହ୍ନାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ ୩୩/୨୫ ପ୍ରକାରେ ମକଦ୍ଦମା ରୁଜୁ କରିଥିଲେ । ମଙ୍ଗଳବାର ସକାଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅପରାହ୍ନରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାର କରାଯାଇଛି ।