ଫୁଟ୍‌ବଲରେ ନିଆଁ ଲଗାଇ ଖେଳିଲେ

ରେଢ଼ାଖୋଲ,୧୪ା୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଦୀପାବଳି ପାଳନର ଏକ ସ୍ବତନ୍ତ୍ରତା ରହିଛି। ଦୀପାବଳି ଅବସରରେ ରେଢ଼ାଖୋଲ ଯଦୁମଣି ପାଟଣା ଲକ୍ଷ୍ମୀପୂଜା କମିଟି ସଭ୍ୟମାନେ ରବିବାର ସନ୍ଧ୍ୟାରେ ଫୁଟ୍‌ବଲରେ ନିଆଁ ଲଗାଇ ଖେଳିଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା। ଅଖାରେ ପ୍ରସ୍ତୁତ ଏହି ଫୁଟ୍‌ବଲକୁ ସ୍ବତନ୍ତ୍ର ଭାବେ ୩ ଦିନ ପୂର୍ବରୁ ପ୍ରସ୍ତୁତ କରାଯାଇ କିରୋସିନରେ ଭିଜାଇ ରଖାଯାଏ। ଦୀପାବଳି ସନ୍ଧ୍ୟାରେ ପ୍ରଥମେ ପୂଜାର୍ଚ୍ଚନା ପରେ ବଲରେ ନିଆଁ ଲଗାଯାଏ ଓ କମିଟି ସଭ୍ୟମାନେ ଏଥିରେ ଅଧଘଣ୍ଟା ଧରି ଖେଳିଥାନ୍ତି। ଖେଳ ପାଇଁ ୨ଟି ବଲ୍‌ ପ୍ରସ୍ତୁତ କରାଯାଇଥାଏ। ତେବେ ନିଆଁ ଜଳୁଥିବା ବଲ୍‌ ଖେଳିବାକୁ ଛୋଟ ଛୁଆମାନଙ୍କୁ ବାରଣ କରାଯାଇଛି। ସମସ୍ତେ ହାପ୍‌ ପ୍ୟାଣ୍ଟ ଓ ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଥାନ୍ତି। ନିଆଁ ଲାଗିଥିବା ବଲ୍‌ ଯେପରି ଆଣ୍ଠୁ ଉପରକୁ ନ ଉଠେ ସେଥିପାଇଁ ସତର୍କ ରହିବାକୁ ସମସ୍ତଙ୍କୁ କୁହାଯାଇଥାଏ। ଖେଳିବା ସମୟରେ ସୁରକ୍ଷା ଦୃଷ୍ଟିରୁ ପାଣିଟ୍ୟାଙ୍କର ଓ ବାଲିବସ୍ତା ପ୍ରସ୍ତୁତକରି ରଖାଯାଏ। ତେବେ ଖେଳ ସରିବାପରେ ସମସ୍ତ ସଭ୍ୟ ଅଗ୍ନିଦେବତାଙ୍କୁ କ୍ଷମା ପ୍ରାର୍ଥନା ମାଗିଥାନ୍ତି। ୪୦ବର୍ଷ ହେବ ଏଭଳି ଏକ ନିଆରା ପରମ୍ପରା ଏଠାରେ ଅନୁଷ୍ଠିତ ହୋଇଆସୁଛି। ଆଇନଜୀବୀ ସ୍ବର୍ଗତ ପ୍ରଦୀପ ସାମନ୍ତ ପ୍ରଥମେ ଏଭଳି ଏକ ନିଆରା ଖେଳ ଖେଳିବା ଆରମ୍ଭ କରିଥିଲେ। ପରେ ଏହାକୁ ଅନୁକରଣକରି ଯଦୁମଣି ପାଟଣା ଲକ୍ଷ୍ମୀପୂଜା କମିଟି ସଭ୍ୟମାନେ ପ୍ରତିବର୍ଷ ଦୀପାବଳି ଦିନ ଏହି ଖେଳ ଖେଳିଆସୁଛନ୍ତି। କମିଟି ସଭାପତି ସୁଶାନ୍ତ ସାମନ୍ତ, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ପ୍ରଶାନ୍ତ ରାଉତ, ମନୋଜ ରାଏଙ୍କ ସମେତ ଅନ୍ୟ ସଭ୍ୟମାନେ ଏହି ନିଆରା ପରମ୍ପରାରେ ସାମିଲ ହୋଇଥିଲେ।