ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା ଜଳବାୟୁ ଅନେକାଂଶରେ ପ୍ରଭାବିତ ହୋଇଥାଏ। ଅଶୋଧିତ ପେଟ୍ରୋଲିୟମ୍ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍ ଉତ୍ପନ୍ନ ହୋଇ ପରିବେଶରେ ମିଶିଥାଏ। କେବଳ ସେତିକି ନୁହେଁ, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଲଣ୍ଡନ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାଯାଏ ଯେ, ଆଗାମୀ ୨୦୫୦ ମସିହା ବେଳକୁ ଏହା ଆଶାତୀତ ବୃଦ୍ଧି ପାଇବାର ଆଶଙ୍କା ଏବେଠାରୁ ଦେଖାଗଲାଣି। ପ୍ଲାଷ୍ଟିକ ଯୋଗୁ ଉତ୍ସର୍ଜିତ ସବୁଜଘର ଗ୍ୟାସ୍ର ପରିମାଣ ସମୁଦାୟ ବିଶ୍ୱ ଉତ୍ସର୍ଜନର ୧୪% ମାତ୍ରାରେ ପହଞ୍ଚତ୍ବ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ବିପୁଳ ସବୁଜଘର ଗ୍ୟାସ୍ ଯେ ଭବିଷ୍ୟତରେ ବିଶ୍ୱତାପନ ବା ଗ୍ଲୋବାଲ ଓ୍ବାର୍ମିଂ ପ୍ରକ୍ରିୟାରେ ସହାୟକ ହୋଇ ବିଶ୍ୱ ଜଳବାୟୁ ପରିବର୍ତ୍ତନର ଧାରାକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।