ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-୨୦୨୬ ମସିହାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ର କିଭଳି ଏ୧ ଗ୍ରେଡ ପାସ କରିବେ ସେଥିପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ନିର୍ଦ୍ଦେଶ ପ୍ରକାରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ଦାୟିତ୍ୱରେ ଥିବା ଭଞ୍ଜନଗର ବିଇଓ ଲୋପାମୁଦ୍ରା ରଥ ଏଥିପାଇଁ ସ୍ବତନ୍ତ୍ର ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଗୁରୁବାର ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ହୋଇଥିଲା। ବୈଠକରେ ବି ଇ ଓ ଯୋଗଦେଇ କିଭଳି ପରୀକ୍ଷା ଫଳ ଭଲ ହେବ ସେନେଇ କହିଥିଲେ।
ଆସନ୍ତା ଶିକ୍ଷା ବର୍ଷରେ ପ୍ରତ୍ୟେକ ବିଦ୍ୟାଳୟରୁ ୫ ଜଣ ଛାତ୍ରୀଛାତ୍ର କିଭଳି ଏ୧ ଗ୍ରେଡ ରଖି ପାସ ହେବେ ସେଥିପାଇଁ ଯୋଜନା କରାଯାଇଛି। ଏଥିପାଇଁ ଶ୍ରେଷ୍ଠ ନାମ ଦିଆଯାଇଛି। ଶ୍ରେଷ୍ଠର ଲକ୍ଷ୍ୟ ହେଲା ଚଳିତ ବର୍ଷ ଅଗଷ୍ଟ, ସେପ୍ଟେମ୍ବର ଏବଂ ଜାନୁୟାରୀ ମାସର ମଧ୍ୟ ଭାଗରେ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟର ଏ ୧ ଆଶାୟୀ ଛାତ୍ରୀଛାତ୍ରଙ୍କୁ ନେଇ ୬ଟି ବିଷୟରେ ପରୀକ୍ଷା କରାଯିବ। ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ଛଅ ବିଷୟର ଛଅ ଜଣ ସମ୍ବଳ ଶିକ୍ଷକ ଏବଂ ପ୍ରତ୍ୟକ ବିଦ୍ୟାଳୟର ଆଶାୟୀ ଏ ୧ ବିଦ୍ୟାର୍ଥୀଙ୍କୁ ନେଇ ’ଶ୍ରେଷ୍ଠ’ ନାମକ ଏକା ହୱାଟ୍ସଆପ ଗ୍ରୁପ କରାଯିବ l ସେହି ଗ୍ରୁପରେ ପ୍ରତ୍ୟକ ଦିନ ଛଅ ଜଣ ସମ୍ବଳ ଶିକ୍ଷକଙ୍କ ଦ୍ୱାରା ଛଅଟି ବିଷୟରୁ ଛଅଟି ପ୍ରଶ୍ନ ସେୟାର କରାଯିବ l ସେହି ପ୍ରଶ୍ନର ଉତ୍ତରକୁ ପ୍ରସ୍ତୁତ କରି ବିଦ୍ୟାର୍ଥୀ ତାପରଦିନ ବିଦ୍ୟାଳୟରେ ଲେଖି ବିଦ୍ୟାଳୟର ଶିକ୍ଷକଙ୍କ ଦ୍ୱାରା ସଂଶୋଧନ କରାଇବେ l ଏହା ଦ୍ୱାରା ପିଲାଙ୍କର ସବୁଦିନ ଲେଖିବାର ଅଭ୍ୟାସ ରହିବା ସହିତ ଗୋଟିଏ ମାସରେ ଗୋଟିଏ ବିଷୟରେ ଶିକ୍ଷାର୍ଥୀ ୩୦ ଟି ପ୍ରଶ୍ନର ଉତ୍ତର ଅଭ୍ୟାସ କରି ପାରିବେ I ଏହି ଭଳି ଭାବରେ ବର୍ଷ ଶେଷକୁ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ଅଭ୍ୟାସ ସହ ଶିକ୍ଷାର୍ଥୀଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ I ତେଣୁ ଲକ୍ଷ୍ୟକୁ କିଭଳି ସାଧନ କରାଯିବ ସେଥିପାଇଁ ଶିକ୍ଷକ ମାନେ ମଧ୍ୟ ପ୍ରସ୍ତୁତିରେ ଲାଗି ପଡିଲେଣି।