ନାବାଳିକା ଝିଆରୀକୁ ଗର୍ଭବତୀ କରି ବନ୍ଧାହେଲେ ପିଉସା: ଶାରୀରିକ ସମ୍ପର୍କ ପରେ ଶରୀର ଅସୁସ୍ଥ ହେବାକୁ ଜଣାପଡ଼ିଲା ସତ…

ବାଲେଶ୍ୱର, ୮।୮(ବାଞ୍ଛାନିଧି ଦେ): ବାଲେଶ୍ବରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୧୩ ବର୍ଷୀୟା ନାବାଳିକା ଝିଆରୀଙ୍କୁ ଗର୍ଭବତୀ କରିଛନ୍ତି ସମ୍ପର୍କୀୟ ପିଉସା। ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟିଛି ଏଭଳି ଘଟଣା l ଅଭିଯୁକ୍ତ ପିଉସାକୁ କାବୁ କରି ଶୁକ୍ରବାର ରାତି ସାରା ବାନ୍ଧି ରଖିଲେ ପୀଡ଼ିତାଙ୍କ ପରିବାର ଲୋକେ l ଖବର ପାଇ ଘଟଣାସ୍ଥଳରେ ଶନିବାର ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି l

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଝିଆରୀଙ୍କୁ ତାଙ୍କର ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ ମାଙ୍କଡ ଘଉଡାଇବା ବାହାନାରେ ପୂର୍ବରୁ ବାରମ୍ବାର ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ଅଭିଯୁକ୍ତ l ଝିଅର ଶରୀର ଅସୁସ୍ଥ ହେବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା। ପରେ ପୀଡିତାଙ୍କ ପରିବାର ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ଜଣାପଡିଥିଲା l ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l