କଂଗ୍ରେସକୁ ଫେରିବେ ପାଇଲଟ !

ନୂଆଦିଲ୍ଲୀ,୧୦।୮: ରାଜସ୍ଥାନର ରାଜନୈତିକ ସଙ୍କଟ ବେଳକୁ ବେଳ ଶେଷ ହେବା ଭଳି ପରିଲକ୍ଷିତ ହେଉଛି। ସୋମବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ତାଙ୍କ ସହ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଥିବା ସୂଚନା ମିଳିଛି। ଏହାପରେ ଅନୁମାନ କରାଯାଉଛି କି ପାଇଲଟ ହୁଏତ କଂଗ୍ରେସକୁ ଫେରିପାରନ୍ତି। ସୂଚନାଯୋଗ୍ୟ, ପାଇଲଟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଯିବା ଫଳରେ ପାଇଲଟଙ୍କୁ ଶେଷରେ ତାଙ୍କ ପଦ ହରାଇବାକୁ ପଡିଥିଲା। ହେଲେ ତାଙ୍କୁ ଦଳରୁ ବହିଷ୍କାର କରାଯାଇ ନ ଥିଲା। ଏବେ ସେ ପୁଣିଥରେ କଂଗ୍ରେସକୁ ଫେରିବାକୁ ମନ ବଳାଇଥିବା ଆଲୋଚନା ହେଉଛି। ଆଉ ସେତେବେଳେ ଯେଉଁ ଅନୁମାନ କରାଯାଉଥିଲା କି ପାଇଲଟ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବେ ସେ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ତେଣୁ କଂଗ୍ରେସକୁ ଫେରିବାର ସମସ୍ତ ବାଟକୁ ପାଇଲଟ ଖୋଲା ରଖିଥିବା କୁହାଯାଏ।