୧୦ରେ ପିଆଇଏଲ୍‌ ଶୁଣାଣି

ନୂଆଦିଲ୍ଲୀ,୫ା୧୧: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ନଡ଼ା ପୋଡ଼ି ଉପରେ ସାନି ଗାଇଡ୍‌ଲାଇନ ଜାରି ନିମନ୍ତେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଆସନ୍ତା ୧୦ ତାରିଖରେ ଏହାର ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଆଇନଜୀବୀ ଶଶାଙ୍କ ଶେଖର ଝା ଦାଏର କରିଥିବା ପିଆଇଏଲ୍‌କୁ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ପଡୋଶୀ ରାଜ୍ୟଗୁଡ଼ିକରେ ଚାଷୀ କ୍ଷେତରେ ନଡ଼ା ପୋଡ଼ୁଥିବାରୁ ବାୟୁ ପ୍ରଦୂଷଣ ବଢ଼ୁଛି। ବାୟୁ ମାନ ଏତେ ତଳକୁ ଖସିଲାଣି ଯେ ସାଧାରଣ ଲୋକେ ବାହାରେ ଚାଲିପାରୁ ନାହାନ୍ତି। ସ୍କୁଲ୍‌ କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ଭର୍ଚୁଆଲ ବା ଅନ୍‌ଲାଇନରେ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପିଆଇଏଲ୍‌ରେ ଅନୁରୋଧ କରାଯାଇଛି। ପ୍ରତିବର୍ଷ ପ୍ରଦୂଷଣ ସମସ୍ୟା ବଢ଼ୁଛି, ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ତୁରନ୍ତ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ନଡ଼ା ପୋଡ଼ିଜନିତ ପ୍ରଦୂଷଣ ରୋକିବା ଲାଗି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ଅଦାଲତଙ୍କୁ ଅନୁରୋଧ କରାଯାଇଛି।