ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳକୁ ନନ୍ଦପୁର ପୋଲିସ, ଅଗ୍ନିଶମ ବାହିନୀ, ୧୦୮ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ୬ ଜଣଙ୍କ ମଧ୍ୟରୁ କଣ୍ଡା ଛତିଆପଡ଼ାଙ୍କ ମୁଣ୍ଡରେ ମାଡ଼ବାଜି ଅବସ୍ଥା ଗୁରୁତର ଥିବାରୁ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ଲାଗି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଆହତ ୫ ଜଣ ଡମାଇ ମୁଦୁଲି, ନୀଳାଦ୍ରି ଖରା, ଜଗମୋହନ ମାଝୀ, ସଦନ ଜାନି ଓ ରମନ ମୁଦୁଲିଙ୍କ ଚିକିତ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରାଯାଉଛି।
ପ୍ରାଥମିକ ତଦନ୍ତରୁ ଚଣ୍ଡାଲମୁଣ୍ଡାର ଓ ପାଲିବା ଅଞ୍ଚଳର ୨୫ ରୁ ୩୦ ଜଣ ଗ୍ରାମବାସୀ ଉକ୍ତ ପିକଅପ ଗାଡ଼ିରେ ହାଟସୂକୁ ଗ୍ରାମକୁ ଏକ ବିବାହ ଭୋଜିରେ ସାମିଲ ହେବାକୁ ଯାଇଥିଲେ। ଫେରିବା ସମୟରେ ଭାରସାମ୍ୟ ହରାଇ ପିକଅପଟି ବ୍ରିଜ ତଳକୁ ଖସି ପଡ଼ିଥିଲା। କିନ୍ତୁ ଲୋକଙ୍କ ଭାଗ୍ୟ ବ୍ରିଜ ତଳେ ପାଣି ନ ଥାଇ କେବଳ କାଦୁଅଥିବାରୁ ଲୋକେ ବର୍ତ୍ତି ଯାଇଥିବା ଥାନାଧିକାରୀ ତ୍ରିନାଥ ତୋଟାପାଡ଼ିଆ ସୂଚନା ଦେଇଛନ୍ତି। ଅଗ୍ନିଶମ ଏଏସଓ ହେମନ୍ତ ସାମଲଙ୍କ ନେତୃତ୍ାଧୀନ ଅଗ୍ନିଶମ ବାହିନୀ ଏକ ଜେସିପି ମେଶିନ ସହାୟତାରେ ଗାଡିଟିକୁ କାଦୁଅ ଭିତରୁ ଉଦ୍ଧାର କରିବାକୁ କାର୍ଯ୍ୟ ଜାରି ରଖିଛନ୍ତି।