୧୭ରୁ ଫୁଲବାଣୀ, ବାଲିଗୁଡ଼ା ୪ ଦିନ ଶଟ୍‌ଡାଉନ୍‌: ସିଲ୍‌ ହେବ ପ୍ରବେଶ ପଥ

ବାଲିଗୁଡା,୧୫।୭(ଡି.ଏନ.ଏ.): କନ୍ଧମାଳ ଜିଲା ଫୁଲବାଣୀ ପୌରପରିଷଦ ଓ ବାଲିଗୁଡା ଏନ୍‌ଏସି ଅଞ୍ଚଳକୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ କରାଯିବ। ଏ ନେଇ ଜିଲା ପ୍ରଶାସନ ନିଷ୍ପତି ନେଇଛି। ମଙ୍ଗଳବାର ରାତିରେ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦିଆଯାଇଛି। ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏହି ନିଷ୍ପତି ନେଇଛି। ଏହି ୪ ଦିନ ଏହି ଦୁଇ ସହରରେ କୌଣସି ପ୍ରକାର ଗାଡ଼ି ଚଳାଚଳ, ଦୋକାନ ବଜାର ଖୋଲିପାରିବ ନାହିଁ। ଦୁଇ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବ, ଯଦି କିଛି ଜରୁରୀ କାମ ଥାଏ ତେବେ ସମ୍ପୃକ୍ତ ଅଞ୍ଚଳର ଉପଜିଲାପାଳଙ୍କ ଅନୁମତି ନେଇ ଯାତାୟାତ କରିପାରିବେ। ଏହି ୪ ଦିନରେ ସ୍ବାସ୍ଥ୍ୟ ବିଭାଗ ଘରକୁ ଘର ବୁଲି ସମସ୍ତଙ୍କର ସ୍ବସ୍ଥ୍ୟ ଯାଞ୍ଚ କରିବାର ବ୍ୟବସ୍ଥା ହୋଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।