ଆଡମିଟ୍‌ କାର୍ଡରେ ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ଧୋନୀଙ୍କ ଫଟୋ, ତଦନ୍ତ ନିର୍ଦ୍ଦେଶ…

ପାଟନା, ୧୧।୯ : ବିହାରର ପରୀକ୍ଷାର୍ଥୀଙ୍କୁ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କ ଫଟୋ ଦେଖିବାକୁ ମିଳିଛି। ଏହି ପ୍ରାର୍ଥୀମାନେ ମଧୁବାନୀ, ସାମସ୍ତିପୁର ଏବଂ ବେଗୁସରାଇ ଜିଲାରେ ଅବସ୍ଥିତ କଲେଜଗୁଡ଼ିକର ତୃତୀୟ ବର୍ଷର ବିଏ ଛାତ୍ର ବୋଲି କୁହାଯାଉଛି। ଏହି ସମସ୍ତ କଲେଜ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟ ସହିତ ଜଡିତ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଦରଭଙ୍ଗାଠାରେ ଅବସ୍ଥିତ।

ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁସ୍ତାକ ଅହମ୍ମଦ କହିଛନ୍ତି ଯେ ଏହି ଅନିୟମିତତାକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ଏସମ୍ପର୍କରେ ଖବର ପ୍ରଚାର ହେବାପରେ ତ୍ରୁଟି ଜଣାପଡ଼ିଛି। ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସଂପୃକ୍ତ ଛାତ୍ରମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ଏଫ୍‌ଆଇଆର ମଧ୍ୟ ରୁଜୁ କରାଯାଇପାରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଆଡମିଟ କାର୍ଡ ଅନଲାଇନରେ ଦିଆଯାଉଛି ଏବଂ ସମ୍ପୃକ୍ତ ଛାତ୍ରମାନେ ଏହାକୁ ଡାଉନଲୋଡ କରୁଛନ୍ତି । ଏହି ସମସ୍ତ ଛାତ୍ରଙ୍କୁ ନିର୍ଦ୍ଦିଷ୍ଟ ଲଗଇନ ବିବରଣୀ ଦିଆଯାଇଛି। ରେଜିଷ୍ଟ୍ରାର କହିଛନ୍ତି, ଛାତ୍ରମାନଙ୍କୁ ଫଟୋଗ୍ରାଫ ଏବଂ ଅନ୍ୟାନ୍ୟ ସୂଚନା ଅପଲୋଡ କରିବାକୁ ପଡିବ, ଯାହା ପରେ ଆମେ ଆଡମିଟ କାର୍ଡ ପ୍ରସ୍ତୁତ କରିଥାଉ। ଏଥିରୁ ଜଣାପଡୁଛି ଯେ କିଛି ଛାତ୍ର ଦାୟିତ୍ୱହୀନ ଭାବେ କାର୍ଯ୍ୟ କରିଛନ୍ତି।

ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ନାମ କ୍ଷୁର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଫଟୋଗୁଡ଼ିକର ଅପବ୍ୟବହାର ମଧ୍ୟ ଏକ ଗୁରୁତର ବିଷୟ। ସୂଚନାଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ମୁଜାଫରପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଆଡମିଟ କାର୍ଡରେ ପିତା ଏବଂ ମାତାଙ୍କ ନାମ ବଦଳରେ ଥିଲା ବଲିଉଡ ଅଭିନେତା ଇମ୍ରାନ ହାସମି ଏବଂ ସନି ଲିଓନଙ୍କ ନାମ।