ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍‌ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ମାଲକାନଗିରି ବ୍ଲକ୍‌ ପଦ୍ମଗିରି ପଞ୍ଚାୟତ ଅଧୀନ ଏମ୍‌ଭି ୮୬ ଗ୍ରାମର ସୁକରଞ୍ଜନ ରାୟଙ୍କ ପୁଅ ସୁଜନ।
ମିଳିଥିବା ସୂଚନା ମୁତାବକ, ସୁଜନ ଫାର୍ମାସିଷ୍ଟ ଥିବା ବେଳେ ଏମ୍‌ଭି ୪୨ ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ। ଶୁକ୍ରବାର ରାତିରେ ଏମ୍‌ଭି ୨୩ ଗ୍ରାମରେ ହେଉଥିବା ଜଗଧାତ୍ରୀ ଯାତ୍ରା ଦେଖିବାକୁ ଯାଇଥିଲେ। ଶନିବାର ସକାଳୁ ଏମ୍‌ଭି ୭ ଗ୍ରାମ ନିକଟ ଜଙ୍ଗଲର ଏକ ଗଛରୁୁ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ।
ପରେ ମୃତଦେହ ଚିହ୍ନଟ ହୋଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସୁଜନଙ୍କୁ ହତ୍ୟା କରାଯାଇଥିବା ଓ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଓ କୋରାପୁଟ ସାଇଣ୍ଟିଫିକ୍‌ ଟିମ୍‌ ଘଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହା ପ୍ରେମ ଜନିତ ହତ୍ୟା ହୋଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।