ପୃଥିବୀର କୌଣସି ଏକ ପେଟ୍ରୋଲ୍ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ, ଯାହା ମଧ୍ୟପ୍ରାଚ୍ୟର ତୈଳ ଖଣି, ନ୍ୟୁୟର୍କର ଆର୍ଥିକ ବଜାର ଓ ବିଶ୍ୱର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କକୁ ଏକ ଅଦୃଶ୍ୟ ସୂତ୍ରରେ ଯୋଡ଼ିଥାଏ। ନୂଆଦିଲ୍ଲୀରୁ ନାଇରୋବି, ଟୋକିଓରୁ ଟରଣ୍ଟୋ ପର୍ଯ୍ୟନ୍ତ ଆଧୁନିକ ବିଶ୍ୱ ଅର୍ଥନୀତିର ସେହି ବ୍ୟବସ୍ଥାଟି ହେଉଛି ପେଟ୍ରୋଡଲାର। ଗତ ପାଞ୍ଚ ଦଶକ ଧରି ପେଟ୍ରୋଡଲାର ବିଶ୍ୱ ବ୍ୟବସାୟ, ଭୂରାଜନୀତି ଓ ଆର୍ଥିକ ଶକ୍ତିକୁ ପ୍ରଭାବିତ କରିଆସୁଛି ଓ ଏହା ଆମେରିକୀୟ ଡଲାରକୁ ବିଶ୍ୱର ପ୍ରମୁଖ ମୁଦ୍ରା ଭାବେ ପ୍ରତିଷ୍ଠା କରିଛି। କିନ୍ତୁ ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଶକ୍ତି, ଭୂରାଜନୀତିକ ପ୍ରତିଯୋଗିତା ତଥା ପୁନଃ ନବୀକରଣ ଶକ୍ତି ବୃଦ୍ଧି ଏହି ବ୍ୟବସ୍ଥାର ଭବିଷ୍ୟତକୁ ନେଇ ନୂତନ ପ୍ରଶ୍ନ ଉଠାଇଛି ଏବଂ ପରିବର୍ତ୍ତନର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି।
ପେଟ୍ରୋଡଲାର ଶବ୍ଦ ଦୁଇଟି ଶବ୍ଦରୁ ଗଠିତ; ପେଟ୍ରୋଲିୟମ ଓ ଡଲାର। ଏହାର ଅର୍ଥ ହେଉଛି ବିଶ୍ୱ ବଜାରରେ ଅଶୋଧିତ ତୈଳର ବ୍ୟବସାୟ ମୁଖ୍ୟତଃ ଆମେରିକୀୟ ଡଲାରରେ ହେବା। ପୃଥିବୀର ପ୍ରାୟ ସମସ୍ତ ଦେଶ ତେଲ ଆମଦାନୀ କରନ୍ତି। ଯେହେତୁ ତୈଳର ମୂଲ୍ୟ ଡଲାରରେ ନିର୍ଦ୍ଧାରିତ, ସେଥିପାଇଁ ସମସ୍ତ ଦେଶକୁ ତୈଳ କିଣିବା ପାଇଁ ଡଲାର ସଂଗ୍ରହ କରିବାକୁ ପଡ଼େ। ଏହି ବ୍ୟବସ୍ଥା ଡଲାରକୁ ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ମୁଦ୍ରାରେ ପରିଣତ କରିଦେଇଛି। ପେଟ୍ରୋଡଲାରର କାହାଣୀ ୧୯୭୦ ଦଶକରେ ଆରମ୍ଭ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ଆର୍ଥିକ ବ୍ୟବସ୍ଥା ବ୍ରେଟନ୍ଉଡ୍ସ ବ୍ୟବସ୍ଥା ଉପରେ ନିର୍ଭର କରୁଥିଲା, ଯେଉଁଠାରେ ଡଲାର ସୁନା ସହିତ ଜଡ଼ିତ ଥିଲା। ୧୯୭୧ ରେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଡଲାରକୁ ସୁନା ସହିତ ବଦଳାଇବା ବ୍ୟବସ୍ଥାକୁ ବନ୍ଦ କରିଦେଲେ। ଏହା ବ୍ରେଟନ୍ଉଡ୍ସ ବ୍ୟବସ୍ଥାର ଶେଷ ଘୋଷଣା ଥିଲା ଓ ବିଶ୍ୱ ଅର୍ଥନୀତିରେ ଡଲାରର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି କଲା। ଏହି ପରିସ୍ଥିତିରେ ଆମେରିକା ସାଉଦି ଆରବ ଓ ଅଗ୍ରାନାଇଜେଶନ ଅଫ୍ ଦି ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ୍ ବା ଓପିଇସି ଦେଶଗୁଡ଼ିକ ସହ ଚୁକ୍ତି କଲା। ଏହି ଚୁକ୍ତି ଅନୁସାରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ବିକ୍ରୟ କେବଳ ଡଲାରରେ ହେଲା। ବଦଳରେ ଆମେରିକା ସେହି ଦେଶଗୁଡ଼ିକୁ ସାମରିକ ସୁରକ୍ଷା ଓ ରାଜନୈତିକ ସମର୍ଥନ ଦେଲା। ଏହା ପରେ ବିଶ୍ୱର ସମସ୍ତ ଦେଶ ଅଶୋଧିତ ତୈଳ କିଣିବା ପାଇଁ ଡଲାର ସଂଗ୍ରହ କରିବାକୁ ବାଧ୍ୟ ହେଲେ। ଏହିପରି ଭାବରେ ପେଟ୍ରୋଡଲାର ସାମ୍ରାଜ୍ୟର ଆରମ୍ଭ ହେଲା।
ଅଶୋଧିତ ତୈଳ ଏବେ ମଧ୍ୟ ବିଶ୍ୱ ଅର୍ଥନୀତିର ମୂଳଶକ୍ତି। ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସି (ଆଇଇଏ)ଅନୁସାରେ ପୃଥିବୀରେ ପ୍ରତିଦିନ ପ୍ରାୟ ୧୦୦ ମିଲିୟନ ବ୍ୟାରେଲ ତେଲ ବ୍ୟବହୃତ ହୁଏ। ବିଶ୍ୱ ତେଲ ବ୍ୟବସାୟର ମୂଲ୍ୟ ପ୍ରତିବର୍ଷ ଦୁଇ ଟ୍ରିଲିୟନ ଡଲାରରୁ ଅଧିକ। ଏହି ବ୍ୟବସାୟ ଡଲାରରେ ହେବାରୁ ସମସ୍ତ ଦେଶକୁ ଡଲାର ରିଜର୍ଭ ରଖିବାକୁ ପଡ଼େ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଅନୁସାରେ ବିଶ୍ୱର ପ୍ରାୟ ୫୮% ବିଦେଶୀ ମୁଦ୍ରା ଭଣ୍ଡାର ଡଲାରରେ ରହିଛି। ଯଦିଓ ପୂର୍ବରୁ ଏହା ପ୍ରାୟ ୭୦% ଥିଲା, ତଥାପି ଡଲାର ସର୍ବପ୍ରମୁଖ ମୁଦ୍ରା। ପେଟ୍ରୋଡଲାର ବ୍ୟବସ୍ଥାର ମୂଳ ଧାରଣା ସରଳ। ଯେହେତୁ ତେଲର ମୂଲ୍ୟ ଡଲାରରେ ନିର୍ଦ୍ଧାରିତ, ତେଣୁ ଯେକୌଣସି ଦେଶ ତେଲ କିଣିବାକୁ ରପ୍ତାନି, ବିଦେଶୀ ନିବେଶ କିମ୍ବା ବିଦେଶୀ ମୁଦ୍ରା ବଜାର ମାଧ୍ୟମରେ ଡଲାର ଅର୍ଜନ କରନ୍ତି। ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଏହି ଡଲାରକୁ ପୁନର୍ବାର ଆମେରିକାର ବ୍ୟାଙ୍କ ଓ ଆର୍ଥିକ ବଜାରରେ ନିବେଶ କରନ୍ତି। ଏହାକୁ ପେଟ୍ରୋଡଲାର ରିସାଇକ୍ଲିଂ ବୋଲି କୁହାଯାଏ। ଏହି ପ୍ରକ୍ରିୟା ଡଲାର ଚାହିଦାକୁ ସ୍ଥାୟୀ କରି ରଖେ।
ପେଟ୍ରୋଡଲାର ବ୍ୟବସ୍ଥା କେବଳ ଅର୍ଥନୀତିକ ନୁହେଁ, ଏହା ଭୂରାଜନୀତିକ ଭାବରେ ଶକ୍ତିଶାଳୀ ଭୂମିକା ଗ୍ରହଣ କରେ। ଡଲାରର ପ୍ରଭୁତ୍ୱ ଆମେରିକାକୁ ବିଶ୍ୱ ଅର୍ଥନୀତିରେ ବିଶେଷ ଶକ୍ତି ଦେଇଛି। ଅନେକ ଅନ୍ତର୍ଜାତୀୟ ବ୍ୟବସାୟ ଓ ଋଣ ଡଲାରରେ ହୁଏ। ଏହି ପ୍ରଭାବ ଦ୍ୱାରା ଆମେରିକା ଅନ୍ୟ ଦେଶଗୁଡ଼ିକ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗୁ କରିପାରେ। କୌଣସି ଦେଶକୁ ଡଲାର ଆଧାରିତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରୁ ବାହାର କରାଇଲେ ସେହି ଦେଶର ଅର୍ଥନୀତି ଗଭୀର ସଙ୍କଟରେ ପଡ଼ିପାରେ। ଏହି କାରଣରୁ ତେଲ ସମୃଦ୍ଧ ଅଞ୍ଚଳଗୁଡ଼ିକ ବିଶ୍ୱ ରାଜନୀତିରେ ବହୁତ ଗୁରୁତ୍ୱ ଧାରଣକରେ। ଭାରତ ପୃଥିବୀର ତୃତୀୟ ସର୍ବାଧିକ ତୈଳ ଉପଭୋକ୍ତା ଦେଶ। ଦେଶର ପ୍ରାୟ ୮୫% ତେଲ ବିଦେଶରୁ ଆମଦାନୀ କରାଯାଏ। ଯେହେତୁ ତେଲ ବ୍ୟବସାୟ ଡଲାରରେ ହୁଏ, ସେଥିପାଇଁ ଭାରତକୁ ବହୁ ପରିମାଣର ଡଲାର ସଂଗ୍ରହ କରିବାକୁ ପଡ଼େ। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ତୈଳ ଆମଦାନୀ ପାଇଁ ପ୍ରାୟ ୧୩୨ ବିଲିୟନ ଡଲାର ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୪୫ ବିଲିୟନ ଡଲାର ବ୍ୟୟ କରିଛି। ତୈଳ ମୂଲ୍ୟ ବଢ଼ିଲେ ଭାରତର ଆମଦାନୀ ଖର୍ଚ୍ଚ ବଢ଼ିଯାଏ ଓ ବ୍ୟବସାୟରେ କ୍ଷତି ବୃଦ୍ଧି ପାଏ। ଯଦି ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦ ଡଲାର ବଢ଼େ, ତେବେ ଭାରତର ଆମଦାନୀ ବିଲ୍ ପ୍ରାୟ ୧୨୧୫ ବିଲିୟନ ଡଲାର ବଢ଼ିପାରେ। ଡଲାରର ଚାହିଦା ବଢ଼ିଲେ ଭାରତୀୟ ମୁଦ୍ରାର ମୂଲ୍ୟ କମିପାରେ। ଭାରତୀୟ ମୁଦ୍ରା ଦୁର୍ବଳ ହେଲେ ତୈଳ ଆମଦାନୀ ଆହୁରି ମହଙ୍ଗା ହୋଇଯାଏ। ତୈଳ ମୂଲ୍ୟ ବଢ଼ିଲେ ପରିବହନ, ଶିଳ୍ପ ଓ କୃଷି ଖର୍ଚ୍ଚ ବଢ଼ିଯାଏ। ଏହା ଦ୍ୱାରା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଏ।
ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଧୀରେ ଧୀରେ ପରିବର୍ତ୍ତିତ ହେଉଛି। କିଛି ଦେଶ ତୈଳ ବ୍ୟବସାୟରେ ଡଲାର ବଦଳରେ ଅନ୍ୟ ମୁଦ୍ରା ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ପୁନଃ ନବୀକରଣ ଶକ୍ତିର ଉନ୍ନତି ମଧ୍ୟ ଭବିଷ୍ୟତରେ ତେଲ ଉପରେ ନିର୍ଭରତାକୁ କମାଇପାରେ। ଚାଇନା, ରଷିଆ ଓ କିଛି ଦେଶ ତୈଳ ବ୍ୟବସାୟରେ ଡଲାର ବଦଳରେ ଅନ୍ୟ ମୁଦ୍ରା ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ଚାଇନା ୟୁଆନ୍ ଆଧାରିତ ଅନ୍ତର୍ଜାତୀୟ ବଜାର ଆରମ୍ଭ କରିଛି। ବିଶ୍ୱର ବିଭିନ୍ନ ସରକାର ସୌର ଶକ୍ତି, ପବନ ଶକ୍ତି, ବିଦ୍ୟୁତ୍ଚାଳିତ ଯାନ ଓ ଗ୍ରୀନ୍ ହାଇଡ୍ରୋଜେନ ପ୍ରଯୁକ୍ତିରେ ବିଶାଳ ନିବେଶ କରୁଛନ୍ତି। ଅନ୍ତର୍ଜାତୀୟ ପୁନଃ ନବୀକରଣ ଶକ୍ତି ଏଜେନ୍ସି (ଆଇଆର୍ଇଏନ୍ଏ) ଅନୁସାରେ ୨୦୨୩ରେ ବିଶ୍ୱର ପ୍ରାୟ ୩୦% ବିଦ୍ୟୁତ ଉତ୍ପାଦନ ପୁନଃ ନବୀକରଣ ଶକ୍ତି ଉତ୍ସରୁ ହୋଇଥିଲା। ଏହି ପରିବର୍ତ୍ତନ ପାଇଁ ଭାରତ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ୨୦୩୦ ପର୍ଯ୍ୟନ୍ତ ୫୦୦ ଗିଗାୱାଟ୍ ଅଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ସୃଷ୍ଟି କରିବା ଭାରତର ଲକ୍ଷ୍ୟ। ସୌର ଓ ପବନ ଶକ୍ତି ଉତ୍ପାଦନରେ ଭାରତ ବିଶ୍ୱର ଦ୍ରୁତ ବୃଦ୍ଧିଶୀଳ ବଜାରଗୁଡ଼ିକ ମଧ୍ୟରେ ଗଣ୍ୟ। ଏହା ସହିତ ଭାରତ କିଛି ଅନ୍ତର୍ଜାତୀୟ ବ୍ୟବସାୟକୁ ଡଲାର ପରିବର୍ତ୍ତେ ଭାରତୀୟ ମୁଦ୍ରାରେ ସମାଧାନ କରିବା ଉପାୟ ମଧ୍ୟ ଖୋଜୁଛି। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ବିଶ୍ୱ ମୁଦ୍ରା ପରିବର୍ତ୍ତନର ଅସ୍ଥିରତାରୁ ଦେଶକୁ ସୁରକ୍ଷିତ କରିବା ସହିତ ଆର୍ଥିକ ସ୍ଥିରତାକୁ ମଜଭୁତ କରିବା। ଏହି ସମସ୍ତ ପରିବର୍ତ୍ତନ ଚେଷ୍ଟାରେ ସମଗ୍ର ଅନ୍ତର୍ଜାତୀୟ ବଜାରରେ ଏକ ବହୁମୁଖୀ ମୁଦ୍ରା ବ୍ୟବସ୍ଥା ଗଠନର ସମ୍ଭାବନା ରହିଛି, ଯେଉଁଠାରେ ଏକମାତ୍ର ମୁଦ୍ରାର ପ୍ରଭୁତ୍ୱ ପରିବର୍ତ୍ତେ ଅନେକ ପ୍ରମୁଖ ମୁଦ୍ରା ବିଶ୍ୱ ଅର୍ଥନୀତିରେ ଭାଗୀଦାର ହେବ।
ନିକଟ ଭବିଷ୍ୟତରେ ପେଟ୍ରୋଡଲାର ପ୍ରଣାଳୀ ହଠାତ୍ ଅନ୍ତର୍ଦ୍ଧାନ ହେବାର ସମ୍ଭାବନା ନାହିଁ। ଆଜି ମଧ୍ୟ ଆମେରିକୀୟ ଡଲାର ବିଶ୍ୱ ଆର୍ଥିକ ବଜାର, ଅନ୍ତର୍ଜାତୀୟ ବ୍ୟବସାୟ ଓ ବିଦେଶୀ ନିବେଶରେ ପ୍ରମୁଖ ଭୂମିକା ନିଭାଉଛି। ଆମେରିକାର ଆର୍ଥିକ ସଂସ୍ଥାଗୁଡ଼ିକ ବିଶ୍ୱର ସବୁଠାରୁ ବିଶ୍ୱସନୀୟ ଓ ସକ୍ରିୟ ବଜାରଗୁଡ଼ିକ ମଧ୍ୟରେ ରହିଛନ୍ତି। ବିଶ୍ୱ ଉର୍ଜା ବଜାରରୁ ଡଲାରକୁ ପରିବର୍ତ୍ତନ କରିବାକୁ ହେଲେ ସମଗ୍ର ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆବଶ୍ୟକ। ପେଟ୍ରୋଡଲାର ବ୍ୟବସ୍ଥା ଆଧୁନିକ ବିଶ୍ୱ ଅର୍ଥନୀତିର ଏକ ଶକ୍ତିଶାଳୀ ସାମ୍ରାଜ୍ୟ। ତୈଳ ଓ ଡଲାରର ଏହି ସମ୍ପର୍କ ବିଶ୍ୱ ରାଜନୀତି, ଅର୍ଥନୀତି ଓ ଶକ୍ତି ସନ୍ତୁଳନକୁ ପ୍ରଭାବିତ କରିଆସୁଛି। ଭାରତ ପାଇଁ ଏହି ବ୍ୟବସ୍ଥାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର। ତେଣୁ ଭବିଷ୍ୟତରେ ଶକ୍ତି ସୁରକ୍ଷା, ବିକଳ୍ପ ଶକ୍ତି ଉତ୍ସରେ ଉନ୍ନତି ଓ ଆର୍ଥିକ ରଣନୀତି ଭାରତର ଅର୍ଥନୀତିକ ସ୍ଥିରତା ପାଇଁ ଆବଶ୍ୟକ। ତୈଳ, ମୁଦ୍ରା ଓ ଶକ୍ତିର ଏହି ସମ୍ପର୍କ ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିର ଯେ ଦିଗ ନିର୍ଣ୍ଣୟ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ଡ଼.ରଜନୀକାନ୍ତ ଖୁଣ୍ଟିଆ
ମୋ: ୯୯୩୭୨୮୫୬୭୨