Categories: Home Leftଖେଳ

ହିନ୍ଦୀରେ ଟୁଇଟ୍‌ କରି ଭାରତକୁ ସତର୍କ କରାଇଲେ ପିଟରସନ

ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର ତଥା ଅଧିନାୟକ କେଭିନ୍‌ ପିଟରସନ। କିନ୍ତୁ ଏଥିସହ ସତର୍କ ରହିବାକୁ ମଧ୍ୟ ଚେତାଇ ଦେଇଛନ୍ତି। ଏବେ ପ୍ରକୃତ ଦଳ ଭାରତ ଆସିବ। ଘରୋଇ ପରିବେଶରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ। ତେଣୁ ଭାରତକୁ ସତର୍କ ରହିବାକୁ ହେବ ବୋଲି ସେ ହିନ୍ଦୀରେ ଟୁଇଟ୍‌ କରି ଜଣାଇଛନ୍ତି।
ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ନିୟମିତ ଅଧିନାୟକ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବେ। ପିତୃତ୍ୱ ଛୁଟିରେ ଯାଇଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ୩ଟି ଟେଷ୍ଟ ଖେଳିପାରି ନ ଥିଲେ। ଫେବୃୟାରୀ ୫ ତାରିଖରୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ମ୍ୟାଚ୍‌ଗୁଡିକ ଚେନ୍ନାଇ ଓ ଅହମ୍ମଦାବାଦ୍‌ରେ ଜୈବ ସୁରକ୍ଷିତ ପରିବେଶ ଅର୍ଥାତ୍‌ ବାୟୋ ବବଲ୍‌ରେ ଖେଳାଯିବ। ତେଣୁ ଏହି ଦୁଇ ସପ୍ତାହରେ ଅଧିକ ଉତ୍ସବ ପାଳନ ନ କରି ସତର୍କ ରହିବାକୁ ପିଟରସନ ଭାରତକୁ ପରାମର୍ଶ ଦେଇଛନ୍ତି।

Share