ତିରୁବନନ୍ତପୁରମ୍,୧୨।୭: କେରଳ ହାଇକୋର୍ଟ ବେଶ୍ୟାବୃତ୍ତି ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତିଙ୍କୁ ‘ଗ୍ରାହକ’ କୁହାଯାଇପାରିବ ନାହିଁ। ଏହା ସହିତ ସେକ୍ସ ଓ୍ବାର୍କରଙ୍କୁ ‘ଉତ୍ପାଦ’ କିମ୍ବା ବସ୍ତୁ ଭାବେ ଅପମାନ କରିବାର କୌଣସି ଅଧିକାର ନାହିଁ। ଜଷ୍ଟିସ ଭି.ଜି. ଅରୁଣ କହିଛନ୍ତି ଯେ ଏହିପରି ବ୍ୟକ୍ତିମାନେ କେବଳ ସେବା ଗ୍ରହଣକାରୀ ନୁହଁନ୍ତି, ବରଂ ସେକ୍ସ ୱାର୍କରଙ୍କ ଶୋଷଣରେ ସାମିଲ ହୋଇଥାନ୍ତି। ଏହା ଦ୍ୱାରା ସେମାନେ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଇ ମାନବ ତସ୍କରୀ ଭଳି ଅପରାଧକୁ ବୃଦ୍ଧି କରୁଛନ୍ତି। ଏହି ନିଷ୍ପତ୍ତି ଅନୈତିକ ତସ୍କରୀ(ନିବାରଣ) ଆଇନ, ୧୯୫୬ (ITPA) ସହ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ଦିଆଯାଇଛି।
କେରଳ ହାଇକୋର୍ଟର ମତ ଅନୁଯାୟୀ, ବେଶ୍ୟାଳୟରେ ସେବା ନେଉଥିବା ବ୍ୟକ୍ତି ଗ୍ରାହକ ନୁହନ୍ତି। ‘ଗ୍ରାହକ’ ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ପ୍ରକୃତ ସାମଗ୍ରୀ କିମ୍ବା ସେବା କିଣିବାକୁ ପଡ଼େ, କିନ୍ତୁ ସେକ୍ସ ଓ୍ବାର୍କରମାନେ ଅଧିକାଂଶ ସମୟରେ ମାନବ ତସ୍କରୀ ମାଧ୍ୟମରେ ଏହି ଧନ୍ଦାରେ ଫସିଯାଇଥା’ନ୍ତି ଏବଂ ଅନ୍ୟମାନଙ୍କ ଶାରୀରିକ ସୁଖ ପୂରଣ ପାଇଁ ନିଜ ଶରୀର ବ୍ୟବହାର କରିବାକୁ ବାଧ୍ୟ ହୋଇଥା’ନ୍ତି। ଏହିପରି ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଉଥିବା ଟଙ୍କା ସେକ୍ସ ଓ୍ବାର୍କରଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ କାମ କରିବାକୁ ବାଧ୍ୟ କରେ, ଯାହା ମାନବ ତସ୍କରୀ ଭଳି ଅପରାଧକୁ ପ୍ରୋତ୍ସାହନ ଦିଏ।
ଅଦାଲତ କହିଛନ୍ତି ଯେ ସୁଖ ଚାହୁଁଥିବା ବ୍ୟକ୍ତି ଯେଉଁ ଟଙ୍କା ଦିଅନ୍ତି, ତାହାର ଏକ ବଡ଼ ଅଂଶ ବେଶ୍ୟାଳୟ ସଞ୍ଚାଳକଙ୍କୁ ଯାଇଥାଏ। ଏହି ଦେୟକୁ କେବଳ ସେକ୍ସ ଓ୍ବାର୍କରଙ୍କୁ ନିଜ ଶରୀର ଉପଲବ୍ଧ କରାଇବା ଏବଂ ଦେୟକାରୀଙ୍କ ଦାବି ଅନୁଯାୟୀ କାମ କରିବାକୁ ପ୍ରେରଣା କିମ୍ବା ବାଧ୍ୟ କରିବାର ମାଧ୍ୟମ ଭାବେ ଦେଖାଯାଇପାରେ। ଏହିପରି ଭାବେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତି ପ୍ରକୃତରେ ଟଙ୍କା ଦେଇ ତାଙ୍କୁ ବେଶ୍ୟାବୃତ୍ତି ଆଡ଼କୁ ଠେଲି ଦେଉଛନ୍ତି। ଏହି ନିଷ୍ପତ୍ତି ୨୦୨୧ ମସିହାର ଏକ ମାମଲାର ପ୍ରେକ୍ଷାପଟରେ ଆସିଛି।
ସୂଚନା ଥାଉ କି, ୨୦୨୧ ମସିହାରେ ତିରୁବନନ୍ତପୁରମର ପେରୋରକାଡ଼ା (କୁଡ଼ପ୍ପନାକୁନ୍ନୁ) ଅଞ୍ଚଳରେ ପୋଲିସ ଏକ ଘରେ ଚଢ଼ାଉ କରିିଥିଲା, ଯେଉଁଠାରେ ବେଶ୍ୟାବୃତ୍ତି ଚାଲୁଥିବା ଦେଖାଯାଇଥିଲା। ଯାଚିକାକାରୀ(ତୃତୀୟ ଅଭିଯୁକ୍ତ) ଜଣେ ମହିଳାଙ୍କ ସହ ଥିବା ବେଳେ ଅନ୍ୟ ଏକ କୋଠରୀରେ ଆଉ ଜଣେ ବ୍ୟକ୍ତି ଅନ୍ୟ ମହିଳାଙ୍କ ସହ ଥିବା ଦେଖାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ପ୍ରଥମ ଦୁଇ ଅଭିଯୁକ୍ତ ବେଶ୍ୟାଳୟ ଚଳାଉଥିଲେ, ମହିଳାମାନଙ୍କୁ ତସ୍କରୀ ମାଧ୍ୟମରେ ଆଣୁଥିଲେ ଏବଂ ଟଙ୍କା ସଂଗ୍ରହ କରୁଥିଲେ।
ଯାଚିକାକାରୀଙ୍କୁ ଅନୈତିକ ବ୍ୟାପାର ନିବାରଣ ଆଇନର ଧାରା ୩ (ବେଶ୍ୟାଳୟ ଚଳାଇବା), ୪ (ବେଶ୍ୟାବୃତ୍ତିର ଆୟରେ ଜୀବନଯାପନ), ୫(୧)(ଡି) (ବେଶ୍ୟାବୃତ୍ତି ପାଇଁ ପ୍ରେରଣା କିମ୍ବା ବାଧ୍ୟ କରିବା) ଏବଂ ୭ (ସାର୍ବଜନୀନ ସ୍ଥାନରେ କିମ୍ବା ନିକଟରେ ବେଶ୍ୟାବୃତ୍ତି) ଅଧୀନରେ ଗିରଫ କରାଯାଇଥିଲା। ଯାଚିକାକାରୀ ଦାବି କରିଥିଲେ ଯେ ସେ କେବଳ ‘ଗ୍ରାହକ’ ଥିଲେ ଏବଂ ପରିଚାଳନା କିମ୍ବା ସଞ୍ଚାଳନ ସହ ଜଡ଼ିତ ନ ଥିଲେ।