ବୈଠକ ମଝିରେ ବୋମା ଫିଙ୍ଗିଲେ ବ୍ୟକ୍ତି, ବାହାରକୁ ଯାଇପାରିଲେନି ଲୋକ, ଭିଡିଓ ଭାଇରାଲ…

କିଭ୍‌,୧୫।୧୨: ଋଷିଆ-ୟୁକ୍ରେନ ଯୁଦ୍ଧ ଚାଲଥିବାବେଳେ ୟୁକ୍ରେନରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ଗ୍ରାମ ପରିଷଦ ବୈଠକ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଅଚାନକ ବୋମାବର୍ଷା କରିଛନ୍ତି। ଘଟଣାରେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ବୈଠକ ହେଉଥିବା ଗୃହରେ ସିସିଟିଭି ଲାଗିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପଶ୍ଚିମ ୟୁକ୍ରେନର ଜକ୍କାରପଟିଆ ଅଞ୍ଚଳରେ ଏକ ଗ୍ରାମ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓରେ ଦେଖାଯାଇଛି କି, ବୈଠକ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ଘର ଭିତରକୁ ପ୍ରବେଶ କରୁଛନ୍ତି। ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନ କରାଯାଉଛି। ଠିକ୍‌ ଏହି ସମୟରେ ବ୍ୟକ୍ତି ଜଣକ ନିଜ ପକେଟରୁ ୩ଟି ଗ୍ରେନେଡ ବୋମା ବାହାର କରୁଛନ୍ତି। ବଡ ପାଟିରେ ବୈଠକସ୍ଥଳରେ କିଛି କହିବା ସହ ଗୋଟିକ ପରେ ଗୋଟିଏ ବୋମା ଫିଙ୍ଗିବାରେ ଲାଗିଛନ୍ତି। ଘଟଣା ଆକସ୍ମିକ ଭାବେ ହେଉଛି କି, ଲୋକ ପରିସ୍ଥିତି କଣ ହଠାତ ଠଉରାଇ ପାରୁ ନାହାନ୍ତ। କିଛି ଭାବିବା ପୂର୍ବରୁ ନିବୁଜ ଘର ଭିତରେ ଗୋଟିକ ପରେ ଗୋଟିଏ ବୋମା ଫୁଟିବାରେ ଲାଗିଛି। ବ୍ୟକ୍ତିଜଣକ କବାଟ ଚାପି ରଖିଥିବାରୁ କୌଣସି ବ୍ୟକ୍ତି ବାହାରକୁ ଯାଇପାରୁ ନାହାନ୍ତି। ବାହାରକୁ ନ ଯାଇପାରି ସମସ୍ତେ ପ୍ରାଣ ବିକଳରେ ଚିତ୍କାର କରୁଛନ୍ତି। ଘରେ ଥିବା ପ୍ରତିଟି ଜିନିଷ ବୋମାରେ ଧ୍ୱସଂ ହେବାରେ ଲାଗିଛି।
ଏହି ଛାତିଥରା ଘଟଣାରେ ୨୬ଜଣ ଗୁରୁତର ଆହତ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁସାରେ ବୈଠକ ସମୟରେ କେତୋଟି ବୋମା ଫିଙ୍ଗାଯାଇଛି ତାହାର ସଠିକ ତଥ୍ୟ ମିଳିପାରି ନାହିଁ। ବୋମା ଫିଙ୍ଗିଥିବା ବ୍ୟକ୍ତିଜଣକ ଗ୍ରାମ ପରିଷଦର ଉପାଧ୍ୟକ୍ଷ ଅଟନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଜୀବନ-ମରଣ ସ୍ଥିତି ଦେଇ ଗତ କରୁଛନ୍ତି।