ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ତା’ର ଘରୋଇ ମ୍ୟାଚ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳିବ। ଏଥିଲାଗି କର୍ନାଟକ ସରକାର ସୋମବାର କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍ସିଏ) ଓ ଆର୍ସିବିକୁ ଆନୁଷ୍ଠାନିକ ଭାବେ ଅନୁମତି ପ୍ରଦାନ କରିଛନ୍ତି। ଏଥିସହିତ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବରେ ଘଟିଥିବା ଦଳାଚକଟା ପରେ ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି।
ଆସନ୍ତା ୨୮ ତାରିଖରେ ଆଇପିଏଲ୍ର ୧୯ତମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଆର୍ସିବି ଭେଟିବ। କାର୍ଯ୍ୟସୂଚୀ ମୁତାବକ ଏହି ମ୍ୟାଚ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ବିଶେଷଜ୍ଞ କମିଟି ସହ କର୍ନାଟକ ଗୃହ ମନ୍ତ୍ରୀ ପରମେଶ୍ୱରଙ୍କ ବୈଠକ ପରେ ଆନୁଷ୍ଠାନିକ ଭାବେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି।
ବୈଠକରେ କେଏସ୍ସିଏ, ଆର୍ସିବି ଓ ସେମାନଙ୍କ ମ୍ୟାନେଜମେଣ୍ଟ ଫାର୍ମ ଡିଏନଏର ସଦସ୍ୟଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ମ୍ୟାଚ୍ ଆୟୋଜନ ଲାଗି କରାଯାଇଥିବା ବ୍ୟବସ୍ଥାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ତେବେ ଆର୍ସିବି ବେଙ୍ଗାଲୁରୁରେ ୫ଟି ଘରୋଇ ମ୍ୟାଚ୍ ଖେଳିବ ଏବଂ ବଳକା ୨ଟି ମ୍ୟାଚ୍ ରାଇପୁରର ଶହିଦ ବୀର ନାରାୟଣ ସିଂ ଷ୍ଟାଡିୟମରେ ଖେଳିବ।