ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ। ଶିକ୍ଷା ବିଭାଗ ପକ୍ଷରୁ ସାମୟିକ ଭାବେ ଦୁଇଜଣ ଶିକ୍ଷକଙ୍କୁ ଡେପୁଟେସନରେ ନିଯୁକ୍ତି ଦିଆଯାଇ ବିଦ୍ୟାଳୟର ତାଲା ଖୋଲାଯାଇଥିଲେ ମଧ୍ୟ ଅଭିଭାବକ ଓ ଗ୍ରାମବାସୀ ଏହାକୁ ସ୍ଥାୟୀ ସମାଧାନ ବୋଲି ଗ୍ରହଣ କରିନାହାନ୍ତି। ଏଭଳି ଡେପୁଟେସନ ବ୍ୟବସ୍ଥାରେ ଭୁଆଁ ନ ବୁଲାଇ ଆସନ୍ତା ମାସ ସୁଦ୍ଧା ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବିଦ୍ୟାଳୟରେ ତାଲା ପଡ଼ିବା ପରେ ସମସ୍ୟାର ସମାଧାନ ନିମନ୍ତେ ଅନୁଷ୍ଠିତ ଆଲୋଚନାରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ତପିମଣି ଜାନୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା ବିଦ୍ୟାଳୟରେ ପହଞ୍ଚି ଥିବା ସହ ବିରିକୋଟ କ୍ଲଷ୍ଟରର ସିଆରସିସି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଧାକାନ୍ତ ନାଏକ ଏବଂ ଶତାଧିକ ଅଭିଭାବକ ଉପସ୍ଥିତ ଥିଲେ। ଏହି ସମୟରେ ଅଭିଭାବକ ଶ୍ରୀରାମ ନାଏକ, ସନ୍ତୋଷ କୁମାର ନାଏକ, ପରୀକ୍ଷିତ ନାଏକ, ରଞ୍ଜନ କୁମାର ବାଗ, ଚନ୍ଦ୍ରକେତୁ ନାଏକ, ନବୀନ ନାଏକ, ହୀରା ସାହୁ, ଅହଲ୍ୟା ସାହୁ ଓ ସୁନାଧର ଗୌଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନିକ ନିଷ୍ପତ୍ତିକୁ ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ କାର୍ଯ୍ୟରତ ସିଆରସିସି ଜୟ ସିଂ ମାଝୀ ଏବଂ ପିଣ୍ଡାପଦରରୁ ମାଧବ ସବରଙ୍କୁ ଡେପୁଟେସନରେ ପଠାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନିୟମାନୁଯାୟୀ ସିଆରସିସି ମାସକୁ ଅତି କମରେ ୧୫ ଦିନ ଶିକ୍ଷାଦାନ କରିବା କଥା, କିନ୍ତୁ ତାହା କରାଯାଉ ନାହିଁ। ତେଣୁ ସିଆରସିସିଙ୍କୁ ତୁରନ୍ତ ତାଗିଦ କରିବା ସହ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ କରିବାକୁ ଦାବି ହୋଇଛି। ବାତିଲ କରିଥିବା ବାର୍ଷିକ ପରୀକ୍ଷା ଆସନ୍ତା ୧୬ ତାରିଖରୁ ପୁନଃ ଆରମ୍ଭ ହେବାକୁ ସହମତି ପ୍ରକାଶ ପାଇଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ନ ମିଳିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।