ବାଲିଆପାଳ,୨୨।୧(ଅମୁଲ୍ୟ ଦାସ): ଗ୍ରାହକମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଷ୍ଟେଟ୍ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ ପିଟିଲେ ଲୋକେ। ଏଭଳି ଘଟଣା ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ହାଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବାରୁ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁଯାୟୀ ରଞ୍ଜନ ଦୀର୍ଘ ବର୍ଷ ଧରି ଦେଉଳା ହାଟରେ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ଚଳାଇ ଆସୁଥିବା ବେଳେ ଶତାଧିକ ଜମାକାରୀଙ୍କ ୫୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏମିତିକି ରଞ୍ଜନ ପୂର୍ବରୁ ମଧ୍ୟ ସାଇବର କ୍ରାଇମ କେସ୍ରେ ଗିରଫ ହୋଇ ଜେଲ ଯାଇ ଥିଲେ। ଜମାକାରୀମାନେ ବାରମ୍ବାର ଦୌଡି ଦୌଡି ନିରାଶ ହେବା ପରେ ଆଜି ରଞ୍ଜନଙ୍କୁ ବାନ୍ଧି ନିର୍ଧୂମ ପିଟିଛନ୍ତି।