ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି । ଏହାକୁ ସମର୍ଥନ ଜଣାଇ ଗୁରୁବାର ୫ଟି ପଞ୍ଚାୟତର ଜନସାଧାରଣ ଜିଲାପାଳଙ୍କୁ ସାକ୍ଷତ କରି କୃତଜ୍ଞତା ଜଣାଇଛନ୍ତି । ବହୁଦିନର ଦାବି ପୂରଣ ହେବାକୁ ଯାଉଥିବା ନେଇ ରାଜ୍ୟସରକାର ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଞ୍ଚାୟତଗୁଡିକରେ ରାଜନୈତିକ ଉଦ୍ଦେଶ୍ୟ ରଖି କେତେଜଣ ସ୍ବାର୍ଥପର ନେତା ପୌରପାଳିକାରେ ପଞ୍ଚାୟତ ମିଶ୍ରଣକୁ ବିରୋଧ କରୁଥିବା ନଜରକୁ ଆସୁଛି। ଏହାକୁ ଗୁରୁତ୍ୱ ନ ନେଇ ସରକାର ପଞ୍ଚାୟତବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତି ଅନୁସାରେ କାର୍ଯ୍ୟକାରୀ କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି। ଉପରୋକ୍ତ ୫ଟି ପଞ୍ଚାୟତର ୧ ହଜାରରୁ ଅଧିକ ଜନସାଧାରଣ ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଯେ, ପୌରପାଳିକାରେ ସାମିଲ ହେଲେ ଆମେ ଉପକୃତ ହୋଇପାରିବୁ । ପଞ୍ଚାୟତବାସୀ ଛତ୍ରପୁର ଲୋୟର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମର୍ଥନ ଜଣାଇଥିଲେଞ୍। ଏଥିରେ ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏମ୍ପି ପ୍ରତିନିଧି ରୁଇନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ପୋଡାପଦର ସରପଞ୍ଚ ସୁଜାତା ଦାସ, ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଭାଜପା ଜିଲା ସାଧାରଣ ସଂପାଦକ ପଦ୍ମଚରଣ ସାହୁ, ଜିଲ୍ଲା ସଂପାଦକ ବସନ୍ତ କୁମାର ବେହେରା ଓ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖଙ୍କ ସମେତ ୫ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ ।