ଘର ଲୋକ ଛାଡ଼ି ପଳାଇଲେ… ବିଜେଡି ଏବେ କରିବ କ’ଣ

ଯାଜପୁର,୨୪ା୯(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ରୋଚକ ରାଜନୈତକ ଘଟଣା ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ସମୟରେ ଅନ୍ୟ ଜିଲାରେ ପ୍ରାର୍ଥୀ ହୋଇ ହାରିଥିବା ବିଜେଡିର ଜଣେ ଜଣାଶୁଣା ନେତା ଗତ ୨୦ ତାରିଖରେ କୋରେଇ ନିର୍ବାଚନମଣ୍ଡଳୀର ଷଠିପୁରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ କହିଥିଲେ, ୨୦୧୪ରୁ କୋରେଇବାସୀ ନିଜ ନିର୍ବାଚନମଣ୍ଡଳୀର ତଥା ମା’ ମାଟିର ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ହାରିବା ଜିତିବା ବଡ଼ କଥା ନୁହେଁ, ଘରକୁ ଫେରିବା ଗୁରୁତ୍ୱପୂର୍ଣ୍ଣ। ଯାଜପୁର ତାଙ୍କ ଦେବକୀ ମା’ ଓ କୋରେଇ ହେଉଛି ତାଙ୍କ ଯଶୋଦା ମା’। ସେ ଯାଜପୁରରେ ରହୁଛନ୍ତି ଏବଂ କୋରେଇର ସେବା କରିବେ ବୋଲି କହିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ୨୪ ଘଣ୍ଟା ନ ପୂରୁଣୁ ଅର୍ଥାତ୍‌ ୨୧ ତାରିଖରେ କୋରେଇ ନିର୍ବାଚନମଣ୍ଡଳୀର ୧ ନଂ. ଜୋନ୍‌ ଅନ୍ତର୍ଗତ ୩ଟି ପଞ୍ଚାୟତ କାଚରାସାହି, ପାଟରାଙ୍ଗ ଏବଂ ତଳଗଡ଼ର ବହୁ ବିଜେଡି ନେତା ଓ କର୍ମୀ ଦଳଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଏନେଇ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଯାଜପୁର ରୋଡ୍‌ସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ଛାଡ଼ିଥିବା ନେତା ଓ କର୍ମୀଙ୍କ ମଧ୍ୟରେ କାଚରାସାହି ପଞ୍ଚାୟତର ୨୧ଜଣ ଏବଂ ପାଟରାଙ୍ଗର ୧୬ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଅଛନ୍ତି। ସମସ୍ତଙ୍କୁ ବିଧାୟକ ଆକାଶ ଦାସନାୟକ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି। ଏହାପରେ ଏବେ ଚର୍ଚ୍ଚା ହେଉଛି ଯେ, ନେତାଙ୍କ ଘର ବାହୁଡ଼ା ଦେଖି ଘର ଲୋକ ଛାଡ଼ି ପଳେଇଲେ।