Categories: Home Leftଖେଳ

ପାକିସ୍ତାନ ଚାହୁଁଛି ଚଳିତ ବର୍ଷ ନ ହେଉ ଏହି ଟୁର୍ନାମେଣ୍ଟ

କରାଚୀ,୧୨।୩ : ଚଳିତ ବର୍ଷ ଏସିଆ କପ୍‌ ଆୟୋଜନ ହେବାର ଖୁବ୍‌ କମ୍‌ ସମ୍ଭାବନା ଅଛି। ପିଏସ୍‌ଏଲ ଫ୍ରାଞ୍ଚାଇଜର ମାଲିକଙ୍କୁ ଏଭଳି ଅଶ୍ୱାସନା ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ଏହଶାନ ମାନି। କରୋନା ଯୋଗୁ ଚଳିତ ବର୍ଷର ପାକିସ୍ତାନ ସୁପର ଲିଗ୍‌ ଅଧାରୁ ବାତିଲ କରି ଦିଆଯାଇଛି। ଲିଗ୍‌ର ଅବଶିଷ୍ଟ ୨୦ ଲିଗ୍‌ ମ୍ୟାଚ୍‌ ଓ ନକଆଉଟ୍‌ ପର୍ଯ୍ୟାୟ ଆସନ୍ତା ଜୁନରେ ଖେଳାଯିବ। କିନ୍ତୁ ସମାନ ମାସରେ ଆୟୋଜନ ହୋଇପାରେ ଏସିଆ କପ୍‌। ଏଥି ନେଇ ଗୁରୁବାର ଏକ ଭର୍ଚୁଆଲ ବୈଠକ ଆୟୋଜନ ହୋଇଥିଲା।

ଚଳିତ ବର୍ଷ କଣ୍ଟିନେଣ୍ଟାଲ ଟୁର୍ନାମେଣ୍ଟ ଆୟୋଜନ ହେବାର ଖୁବ କମ୍‌ ସମ୍ଭାବନା ରହିଛି। ଏସିଆର ବିଭିନ୍ନ ଦଳ ଅନ୍ୟତ୍ର ଖେଳିବାକୁ ଚୁକ୍ତି କରିଛନ୍ତି। ଏଥି ଯୋଗୁ ଏସିଆ କପ୍‌କୁ ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ବୋଲି ମାନି କହିଛନ୍ତି। ଏହି ବୈଠକରେ କିଛି ଫ୍ରଞ୍ଚାଇଜ ପକ୍ଷରୁ ଚଳିତ ମାସରେ ଶେଷ ଆଡ଼କୁ ହେବାକୁ ଥିବା ପାକିସ୍ତାନ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି ପିସିବି ଚେୟାରମ୍ୟାନ। କାରଣ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ତା’ର ସମ୍ପୂର୍ଣ୍ଣ ଦଳ ପାକିସ୍ତାନକୁ ପଠାଇଥିଲା। ଆଉ ଦୁଇ ବୋର୍ଡ ମଧ୍ୟରେ ଖୁବ୍‌ ଭଲ ସମ୍ପର୍କ ଥିବାରୁ ଏଭଳି କରିବା ଉଚିତ ହେବ ନାହଁି ।