Categories: ଖେଳ

ପିସିବି ମୁଖ୍ୟ ମହସିନ ନକ୍‌ଭୀଙ୍କୁ ମିଳିଲା ଗୁରୁଦାୟିତ୍ୱ

ଦୁବାଇ,୩ା୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍‌ଭୀ ଗୁରୁବାର ଏସିଆନ କ୍ରିକେଟ ପରିଷଦ(ଏସିସି)ର ନୂଆ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ମୁଖ୍ୟ ଶାମି ସିଲ୍‌ଭା ଏହି ଦାୟିତ୍ୱରେ ଥିଲେ। ଗୁରୁବାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନକ୍‌ଭୀ ଆଗାମୀ ଦୁଇ ବର୍ଷ ପାଇଁ ଦାୟିତ୍ୱରେ ରହିବେ।

ଏସିସିର ନିଷ୍ପତ୍ତି ଅନୁଯାୟୀ, ପାକିସ୍ତାନ ଆନୁଷ୍ଠାନିକ ଭାବେ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ଠାରୁ ସଭାପତିତ୍ୱ ନେଇଛି। ଏଥିଯୋଗୁ ଏବେଠାରୁ ଏସିଆ ଭୂଖଣ୍ଡରେ କ୍ରିକେଟର ପ୍ରୋତ୍ସାହନ ଓ ପ୍ରସାରିତ କରିବାରେ ପାକିସ୍ତାନ ନେତୃତ୍ୱ ନେବ। ଆସନ୍ତା ସେପ୍ଟେମ୍ବରରେ ଏସିଆ କପ୍‌ ଆୟୋଜନ ନକ୍‌ଭୀଙ୍କ ଲାଗି ସବୁଠୁ ବଡ଼ ପରୀକ୍ଷା ହେବ। ପ୍ରକୃତରେ ଏହି ଇଭେଣ୍ଟର ଆୟୋଜନ ଅଧିକାର ଭାରତକୁ ଦିଆଯାଇଛି। ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ କୂଟନୈତିକ ସମ୍ପର୍କ ଦୁଇ ଦେଶ ପରସ୍ପର ଦେଶକୁ ଟୁର କରିବାରେ ବାଧା ଦେଉଛି। ଏଥିଯୋଗୁ ଏସିଆ କପ୍‌ ଏକ ନ୍ୟୁଟ୍ରାଲ ଭେନ୍ୟୁ ହେବ।

Share
Tags: sports