Categories: Home Leftଖେଳ

PBKS vs MI: ଚମକାଇଲା AIର ଭବିଷ୍ୟବାଣୀ, ଆଜିର ମ୍ୟାଚ୍‌ ଜିତିବ…

ନୂଆଦିଲ୍ଲୀ,୧।୬: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି, ଜୁନ 1, 2025ରେ ଆଇପିଏଲ 2025ର କ୍ୱାଲିଫାୟର 2ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ ଏକ ହାଇ-ଷ୍ଟେକ ମୁକାବିଲା ହେବ। ଏହି ମ୍ୟାଚର ବିଜେତା ଦଳ ଜୁନ 3ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସହ ଫାଇନାଲରେ ମୁହାଁମୁହିଁ ହେବ। ଏହି ମ୍ୟାଚରେ ଉଭୟ ଦଳର ପ୍ରମୁଖ ଖେଳାଳି, ପିଚ ରିପୋର୍ଟ, ଏବଂ ଏଆଇ-ଆଧାରିତ ପୂର୍ବାନୁମାନ ଆଲୋଚନା କରାଯାଉଛି।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବନା କିଛିଟା ଅଧିକ ବୋଲି ଏଆଇ ଟୁଲ୍ସ ଯଥା ଚାଟଜିପିଟି ଏବଂ ଗୁଗଲ ଜେମିନି ପୂର୍ବାନୁମାନ କରିଛି। ଚାଟଜିପିଟି ଅନୁସାରେ, ମୁମ୍ବାଇର ବିଜୟ ସମ୍ଭାବନା 58% ଥିବାବେଳେ ପଞ୍ଜାବର 42%। ମୁମ୍ବାଇର ପ୍ଲେ-ଅଫ ଅଭିଜ୍ଞତା ଏବଂ ଶକ୍ତିଶାଳୀ ବୋଲିଂ ଲାଇନଅପ ତାଙ୍କୁ ଏକ ସ୍ବତନ୍ତ୍ର ପ୍ରାଧାନ୍ୟ ଦେଉଛି। ଗୁଗଲ ଜେମିନି ମଧ୍ୟ ମୁମ୍ବାଇକୁ ନିକଟତର ବିଜୟର ସମ୍ଭାବନା ଦେଇଛି, କାରଣ ସେମାନଙ୍କର ଏଲିମିନେଟର ମ୍ୟାଚରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ ରହିଛି।

ଗ୍ରୋକ ଏଆଇ ଅନୁସାରେ, ମୁମ୍ବାଇ ଯଦି ପ୍ରଥମେ ବ୍ୟାଟିଂ କରେ, ତେବେ ସେମାନେ 210-220 ରନ ସ୍କୋର କରି ପଞ୍ଜାବକୁ 10-15 ରନରେ ହରାଇପାରନ୍ତି। ଯଦି ସେମାନେ ଚେଜ କରନ୍ତି, ତେବେ 200-215 ରନର ଲକ୍ଷ୍ୟକୁ 19 ଓଭରରେ ହାସଲ କରିପାରନ୍ତି। ତେବେ, ପଞ୍ଜାବର ପ୍ରଭସିମରନ ସିଂହ ଏବଂ ଜୋଶ ଇଙ୍ଗଲିସ ଯଦି ଆକ୍ରମଣାତ୍ମକ ଆରମ୍ଭ କରନ୍ତି, ତେବେ ସେମାନେ ମୁମ୍ବାଇକୁ ଚମକାଇ ଦେଇପାରନ୍ତି।

ପଞ୍ଜାବ କିଙ୍ଗ୍ସ ଲିଗ ପର୍ଯ୍ୟାୟରେ 14 ମ୍ୟାଚରୁ 9ଟି ଜିତି ଟେବୁଲର ଶୀର୍ଷରେ ରହିଥିଲେ, କିନ୍ତୁ କ୍ୱାଲିଫାୟର 1ରେ ଆରସିବି ବିପକ୍ଷରେ 101 ରନରେ ଅଲଆଉଟ ହୋଇ ଏକ ଲଜ୍ଜାଜନକ ପରାଜୟ ଭୋଗିଥିଲେ। ଅନ୍ୟପକ୍ଷରେ, ମୁମ୍ବାଇ ଇଣ୍ଡିଆନ୍ସ ଲିଗ ପର୍ଯ୍ୟାୟରେ 8ଟି ମ୍ୟାଚ ଜିତି ଚତୁର୍ଥ ସ୍ଥାନରେ ରହିଥିଲେ ଏବଂ ଏଲିମିନେଟରରେ ଗୁଜରାଟ ଟାଇଟନ୍ସକୁ 20 ରନରେ ହରାଇ ଦମଦାର ଫର୍ମରେ ଅଛନ୍ତି।

ଉଭୟ ଦଳ ମଧ୍ୟରେ 33ଟି ମ୍ୟାଚରେ ମୁମ୍ବାଇ 17ଟି ଏବଂ ପଞ୍ଜାବ 16ଟି ଜିତିଛନ୍ତି। ଆଇପିଏଲ 2025ରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଲିଗ ମ୍ୟାଚରେ ପଞ୍ଜାବ 7 ଉଇକେଟରେ ମୁମ୍ବାଇକୁ ହରାଇଥିଲେ, ଯେଉଁଥିରେ ପ୍ରିୟାଂଶ ଆର଼୍ୟା (62) ଏବଂ ଜୋଶ ଇଙ୍ଗଲିସ (73) ଦମଦାର ପ୍ରଦର୍ଶନ କରିଥିଲେ।

ଅହମ୍ମଦାବାଦରେ ପଞ୍ଜାବର ରେକର୍ଡ ଭଲ, ଯେଉଁଠି ସେମାନେ 6ଟି ମ୍ୟାଚରୁ 4ଟି ଜିତିଛନ୍ତି (ବିଜୟର ହାର 66.6%)। ମୁମ୍ବାଇର ରେକର୍ଡ ଏଠାରେ ଦୁର୍ବଳ, ମାତ୍ର 6ଟି ମ୍ୟାଚରୁ 1ଟି ଜିତିଛନ୍ତି (ବିଜୟର ହାର 16.6%)।

Share