ନୂଆଦିଲ୍ଲୀ,୩୧।୩: ଆଇପିଏଲ୍ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଯୁବ ବ୍ୟାଟର କୁପର କନୋଲିଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ବଳରେ ପଞ୍ଜାବ ଏହି ସଫଳତା ପାଇଛି।
ଟସ ଜିତି ପଞ୍ଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟର ଅଧିନାୟକ ଶୁଭମନ ଗିଲ (୩୯ ରନ) ଏବଂ ଜୋସ ବଟଲର (୩୮ ରନ) ଭଲ ଆରମ୍ଭ କରିଥିଲେ ମଧ୍ୟ ପଞ୍ଜାବ ବୋଲରମାନେ ସେମାନଙ୍କୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ଚହଲ ୨୮ ରନ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ବିଜୟକୁମାର ମଧ୍ୟ ୩ଟି ବଡ଼ ଉଇକେଟ ନେଇ ଗୁଜରାଟକୁ ୧୬୨ ରନରେ ସୀମିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
୧୬୩ ରନର ଲକ୍ଷ୍ୟ ପିଛା କରି ପଞ୍ଜାବର ଆରମ୍ଭ ଖରାପ ଥିଲା। କିନ୍ତୁ ନିଜର ପ୍ରଥମ ଆଇପିଏଲ ମ୍ୟାଚ ଖେଳୁଥିବା ୨୨ ବର୍ଷୀୟ କୁପର କନୋଲ ଅପରାଜିତ ୭୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୪୪ଟି ବଲ୍ରେ ୫ଟି ଚୌକା ଓ ୫ଟି ଛକା ମାରି ଟିମ୍କୁ ବିଜୟୀ କରାଇଥିଲେ।
ମ୍ୟାଚ ମଝିରେ ପଞ୍ଜାବ ମାତ୍ର ୧୬ଟି ବଲରେ ୪ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଗୁଜରାଟର ପେସର ପ୍ରସିଦ୍ଧ କୃଷ୍ଣା ୩ ଉଇକେଟ ନେଇ ପଞ୍ଜାବର ଅଡ଼ୁଆ ବଢ଼ାଇ ଦେଇଥିଲେ। ହେଲେ କନୋଲି ଗୋଟିଏ ପଟେ ସ୍ଥିର ରହି ମାର୍କୋ ୟାନସନ ଏବଂ ଜାଭିୟର ବାର୍ଟଲେଟଙ୍କ ସହ ମିଶି ୧୯.୧ ଓଭରରେ ଦଳକୁ ଜିତାଇ ଦେଇଥିଲେ। ଏହି ବିଜୟ ସହ ପଞ୍ଜାବ କିଙ୍ଗସ ଚଳିତ ସିଜନ୍ରେ ଶୁଭାରମ୍ଭ କରିଛି।