Categories: Home Leftଖେଳ

ପଞ୍ଜାବ ନାମରେ ଲଜ୍ଜାଜନକ ରେକର୍ଡ

ଦୁବାଇ,୯।୧୦: ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏଥର ମଧ୍ୟ ପ୍ଲେ-ଅପ୍‌ରେ ପ୍ରବେଶ କରିପାରି ନାହିଁ। ଦଳ ୬ଟି ବିଜୟରୁ ୧୨ ପଏଣ୍ଟ ସହ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଭଳି ବିଫଳ ଅଭିଯାନ କାରଣରୁ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ପଞ୍ଜାବ କିଙ୍ଗ୍ସ (ପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବ)।

ପଞ୍ଜାବ କ୍ରମାଗତ ୭ମ ଥର ପାଇଁ ପ୍ଲେ-ଅପ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଛି। ଆଇପିଏଲ ଇତିହାସରେ ଯେକୌଣସି ଦଳ ପାଇଁ ଏହା ସର୍ବାଧିକ। ପଞ୍ଜାବ ପଛକୁ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ (ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ)। ଏହି ଦଳ ଲଗାତର ୬ଟି ସିଜନରେ ବିଫଳ ହେବା ପରେ ପ୍ଲେ-ଅପ୍‌ରେ ପ୍ରବେଶ କରିଥିଲା।

ପିବିକେଏସ୍‌ ୨୦୧୪ ସିଜନରେ ଉପବିଜେତା ଆଖ୍ୟା ପାଇଥିଲା। ସେବେଠାରୁ ଦଳ ଥରେ ହେଲେ ପ୍ଲେ-ଅପ୍‌ରେ ପ୍ରବେଶ କରିପାରି ନାହିଁ। ସେହିଭଳି ଦିଲ୍ଲୀ ଫ୍ରାଞ୍ଚାଇଜ ୨୦୧୩ରୁ ୨୦୧୮ ମଧ୍ୟରେ ଥରେ ହେଲେ ଶୀର୍ଷ ୪ରେ ପହଞ୍ଚିପାରି ନ ଥିଲା। କିନ୍ତୁ ୨୦୧୯ରେ ତୃତୀୟ ଓ ୨୦୨୦ରେ ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିବା ଦିଲ୍ଲୀ ଏଥର ମଧ୍ୟ ପ୍ଲେ-ଅପ୍‌ରେ ପ୍ରବେଶ କରିଛି।