ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଖୋଦ୍ ଏସପି ପି. ଏସ୍ ମୀନାଙ୍କ ନେତୃତ୍ୱରେ ସାରା ସହରରେ ପୋଲିସର ପେଟ୍ରୋଲିଂ ଚାଲିଛି।
ପ୍ରକାଶ, ଜିଲା ସଦର ମହକୁମାସ୍ଥିତ ସ୍ଥାନୀୟ ଟାଉନ ଥାନାର ଅନତି ଦୂରରେ ରହିଥିବା ହାଟପଦାରେ ଡବଲ୍ ମର୍ଡର ଘଟିବା ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡିଛି। ଅପରାଧ ଥମିବା ବଦଳରେ ଏଠାରେ ପୁଣି ଛୁରାମାଡ ସ୍ଥାନୀୟ ପୋଲିସର ଦକ୍ଷତାକୁ ପଦାରେ ପକାଇ ଦେଇଥିବାବେଳେ ଏଭଳି ସ୍ଥିତିରେ ଜିଲା ଓକିଲ ସଂଘ ବୁଧବାର ଏସପିଙ୍କ ବଦଳି ଦାବିରେ ଉତ୍ତରାଞ୍ଚଳ ଆରଡିସି ଏବଂ ଆଇଜିଙ୍କୁ ଫେରାଦ ହୋଇଥିଲା। ସେହିପରି ପୋଲିସର ହୁଗୁଳା ସୁରକ୍ଷା ବ୍ୟବସ୍ଥା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଗୁରୁବାର ସନ୍ଧ୍ୟାରୁ ଏସପିଙ୍କ ନେତୃତ୍ୱରେ ଚାଲିଥିବା ପେଟ୍ରୋଲିଂ ଜାରି ରହିଲେ ଏଠାରେ ଅପରାଧ ହ୍ରାସ ପାଇବ ବୋଲି ସାଧାରଣରେ ଆଶା ପ୍ରକଟ କରାଯାଉଛି।