ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ସହ ଟ୍ୟାଗ ବା ଯୋଡ଼ିବା ପାଇଁ କୌଣସି ଦାବି ହୋଇଥିବା ମୁଁ ଜାଣି ନ ଥିଲି। କିନ୍ତୁ ଏବେ ଏହା ହେବା ଉଚିତ ବୋଲି ଆମକୁ କୁହାଯାଉଛି। ଏହି ଗୀତର ଛଅଟି ପଦ ଅଛି ଏବଂ ଆମ ମଧ୍ୟରୁ ଯେଉଁମାନେ ଜାଣିନାହାନ୍ତି ଏବେ ସେମାନଙ୍କୁ ଏହା ମନେରଖିବାକୁ ପଡ଼ିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି, ବନ୍ଦେ ମାତରମ୍ ଗୀତର ଆବୃତ୍ତି ୩ ମିନିଟ୍ ୧୦ ସେକେଣ୍ଡ ହେବା ଆବଶ୍ୟକ। ହେଲେ ଏହାକୁ ଗାଇବା ସ୍ୱେଚ୍ଛାକୃତ ନା ବାଧ୍ୟତାମୂଳକ ତାହା ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇ ନାହିଁ। ଏହି ଦ୍ୱନ୍ଦ୍ୱ ନିର୍ଦ୍ଦେଶର ଶବ୍ଦାବଳୀରୁ ସାମ୍ନାକୁ ଆସିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆମକୁ କହେ, ସରକାରୀ ଭାବେ ଜାତୀୟ ଗୀତର ବାଦନ ପରିବର୍ତ୍ତେ କେଉଁ ସ୍ଥିତିରେ ଗାନ କରିବାକୁ ଅନୁମତି ଦିଆଯାଇପାରିବ ତାହାର ଏକ ସମ୍ପୂର୍ଣ୍ଣ ତାଲିକା ଦେବା ସମ୍ଭବ ନୁହେଁ। କିନ୍ତୁ ଏହା ଆଉ ଦର୍ଶାଇଛି, ଉପଯୁକ୍ତ ସମ୍ମାନ ସହିତ ଏହା କରାଗଲେ ଗାନରେ କୌଣସି ଆପତ୍ତି ନାହିଁ। ତେବେ ଉପଯୁକ୍ତ ସମ୍ମାନ କ’ଣ ସେ ବିଷୟରେ କୌଣସି ନିର୍ଦ୍ଦେଶାବଳୀ ନାହିଁ। କିନ୍ତୁ ନିଃସନ୍ଦେହ ଯେ, କ’ଣ ଉଲ୍ଲଂଘନ ହେବ ତାହା ଆମେ ଶୀଘ୍ର ଜାଣିପାରିବୁ। ତେବେ ଉଲ୍ଲଂଘନ କିଭଳି ନ ହେବ ସେଥିପାଇଁ ଆମମାନଙ୍କ ମଧ୍ୟରେ ଯେଉଁମାନେ ଅଧିକ ଜାତୀୟତାବାଦୀ ଭାବନା ରଖିଛନ୍ତି, ସେମାନେ ଏଭଳି ବିଚାର ନ ଥିବା ଲୋକଙ୍କୁ ଶିକ୍ଷା ଦେବେ। ଗୀତ ଗାନ କରିବା ସ୍ୱେଚ୍ଛାକୃତ କି ନୁହେଁ ତାହା ଅସ୍ପଷ୍ଟ। ମୋର ଏଭଳି କହିବାର କାରଣ ହେଉଛି ଆଦେଶରେ ଉଲ୍ଲେଖ ରହିଛି ଯେ, ସମ୍ପୂର୍ଣ୍ଣ ଭାବରେ ଆନୁଷ୍ଠାନିକ ହୋଇ ନ ଥିଲେ ବି ଜାତୀୟ ଗୀତ ଗାନ କରାଯାଇପାରିବ, ଯଦିଓ ମନ୍ତ୍ରୀ ଇତ୍ୟାଦିଙ୍କ ଉପସ୍ଥିତିରେ ଏହାର ଗୁରୁତ୍ୱ ଅଧିକ ରହିବ। ଏହା ମଧ୍ୟ କୁହାଯାଇଛି, ସାମୂହିକ ସଂଗୀତ ଗାନ ଇଚ୍ଛିତ ବା ବାଞ୍ଛନୀୟ। ଏଠାରେ ନିର୍ଦ୍ଦେଶରେ ଉଲ୍ଲିଖିତ ‘ଇତ୍ୟାଦି’ ଶବ୍ଦରେ କେଉଁମାନେ ସାମିଲ ଅଛନ୍ତି ଏବଂ କାହାକୁ ବାଦ୍ ଦିଆଯାଇଛି? ‘ବାଞ୍ଛନୀୟ’ର ପ୍ରକୃତ ମାନେ କ’ଣ? ତେବେ ‘ଗାନ କରାଯାଇପାରେ’ ଏବଂ ‘ଇଚ୍ଛିତ’ ଶବ୍ଦ ସ୍ୱେଚ୍ଛାକୃତ କାର୍ଯ୍ୟର ସୂଚକ ଏବଂ କେହି ଯଦି ଏହାର ବ୍ୟାଖ୍ୟା କରନ୍ତି ତେବେ ବାସ୍ତବରେ କ’ଣ ଘଟିବ ତାହା ଆମେ ଜାଣିପାରିବା। କିନ୍ତୁ ଶେଷରେ ଏହା ମୂଳ ବିଷୟରୁ ଦୂରେଇ ଯାଇଛି। ମୁଖ୍ୟ କଥା ହେଉଛି, ଆମ ଦେଶରେ ସର୍ୱଦା ଜାତୀୟତାର ଅଭାବ ରହିଛି ଏବଂ ଏହି ନିର୍ଦ୍ଦେଶରେ ଅଭାବ ପୂରଣ କରାଯାଇପାରିବ ସରକାର ମନେ କରିଛନ୍ତି। ଏହି ପ୍ରକାର ବିଷୟ ମଧ୍ୟ ଘଟିଥିବା ଇତିହାସ ଆମକୁ କହେ।
୫୦ ବର୍ଷ ପୂର୍ୱେ, ୧୯୭୬ରେ, ତତ୍କାଳୀନ ସରକାର ସମ୍ୱିଧାନରେ ‘ମୌଳିକ କର୍ତ୍ତବ୍ୟ’ ଯୋଡ଼ିଥିଲେ। ଧର୍ମୀୟ, ଭାଷାଗତ ଏବଂ ଆଞ୍ଚଳିକ କିମ୍ୱା ବର୍ଗୀୟ ବିବିଧତାର ଉପରକୁ ଉଠି ଭାରତର ସମସ୍ତ ଲୋକଙ୍କ ମଧ୍ୟରେ ସମନ୍ୱୟ ଏବଂ ଭାଇଚାରା ଭାବନାକୁ ପ୍ରୋତ୍ସାହିତ କରିବା; ମହିଳାମାନଙ୍କ ମର୍ଯ୍ୟାଦା ପ୍ରତି ଅପମାନଜନକ ପ୍ରଥାଗୁଡ଼ିକୁ ପରିତ୍ୟାଗ କରିବା ଲାଗି ଏହି କର୍ତ୍ତବ୍ୟଗୁଡ଼ିକ ଉଦ୍ଦିଷ୍ଟ। ଏହା ଘଟିଛି ବୋଲି କିଏ ଅସ୍ୱୀକାର କରିପାରିବେ? ଯଦି ଏହିସବୁ ନିର୍ଦ୍ଦେଶ ଆମ ପାଖକୁ ଆସି ନ ଥାନ୍ତା, ତେବେ ଭାରତ ଭାଇଚାରା ଏବଂ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ଉଦାହରଣ ହୋଇପାରି ନ ଥାନ୍ତା। କର୍ତ୍ତବ୍ୟ ତାଲିକାରେ ଅଛି, ଜଙ୍ଗଲ, ହ୍ରଦ, ନଦୀ ଏବଂ ବନ୍ୟପ୍ରାଣୀ ସମେତ ପ୍ରାକୃତିକ ପରିବେଶର ସୁରକ୍ଷା ଓ ବିକାଶ କରିବା ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟା ଭାବ ରଖିବା। ଏହାସହ ଏଥିରେ ବୈଜ୍ଞାନିକ ମନୋଭାବ, ମାନବବାଦ ଏବଂ ଅନୁସନ୍ଧାନ ଏବଂ ସଂସ୍କାରର ଭାବନା ବିକଶିତ କରିବା ମଧ୍ୟ ରହିଛି, ଯାହା ମୋର ପ୍ରିୟ। ଏହି କର୍ତ୍ତବ୍ୟଗୁଡ଼ିକୁ ଯୋଡ଼ା ଯାଇଥିଲା କାରଣ ୧୯୭୬ରେ ଜାତୀୟତାବାଦର ଚାହିଦା ଅଧିକ ଥିଲା ଏବଂ ଅଭାବ ବି ଥିଲା, ଯାହା ବର୍ତ୍ତମାନ ସ୍ଥିତିରେ ଦେଖାଯାଇଛି। ଏବକାର ବ୍ୟବସ୍ଥାର ନିନ୍ଦୁକ ଏବଂ ଘୃଣାକାରୀମାନେ ଯୁକ୍ତି କରିବେ ଯେ, ଦେଶଭକ୍ତି ପ୍ରଦର୍ଶନ କରିବା ଲାଗି ଅନ୍ୟସବୁ ଉପାୟ ଅଛି। ସଙ୍ଗୀତ ଏବଂ ସ୍ଲୋଗାନଗୁଡ଼ିକ ଜାତୀୟ ପ୍ରଗତି ପାଇଁ କମ୍ ଗୁରୁତ୍ୱ ରଖେ। ଯଦି ଆମେ ଟ୍ରାଫିକରେ ଭଲ ବ୍ୟବହାର କରିବା ଏବଂ ଅଳିଆ ନ ପକାଇବା, ତେବେ ଆମେ ଏକ ଜାତି ଭାବରେ ଭଲ ରହିବା। ଜାତୀୟ ଗୀତ ନଦୀ ବିଷୟରେ କହେ ଏବଂ ଏପରି ଏକ ଦେଶର ନାମ ନେବା କଷ୍ଟକର; ଯେଉଁଠାରେ ଏହାର ନଦୀ ପାଣି ଅଧିକ ମଇଳା। ଆମେ ଲାଞ୍ଚ ନ ଦେବା କିମ୍ୱା ନ ନେବା କିମ୍ୱା କର ଠକିବାକୁ ଚେଷ୍ଟା ନ କରିବା ଦ୍ୱାରା ଆମର ଦେଶଭକ୍ତି ଦେଖାଇପାରିବା ବୋଲି ଯୁକ୍ତି କରିବେ। କିନ୍ତୁ ଆମ ସରକାର ଏବଂ ତାହାର ସମର୍ଥକମାନେ କହିବେ ଯେ, ଏସବୁ ବିଷୟ ଅନ୍ୟସବୁ ଦେଶର ନାଗରିକ କରିପାରିବେ। ଏସବୁ ସ୍ୱତନ୍ତ୍ର ନୁହନ୍ତି। ଆମକୁ ଆମ ଦେଶଭକ୍ତି ଦେଖାଇବା ପାଇଁ କିଛି ଅନନ୍ୟ ଏବଂ ସ୍ୱତନ୍ତ୍ର ବିଷୟ ଆବଶ୍ୟକ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ଆଦେଶ ସତର୍କ କରିଦେଇଛି ଯେ, ଜାତୀୟ ଗୀତ ଔପଚାରିକ ଭାବେ ଗାନ କିମ୍ୱା ବାଜିବାବେଳେ ଦର୍ଶକମାନେ ଧ୍ୟାନରେ ଠିଆ ହେବେ। ସମ୍ଭବତଃ ଏହାର ଅର୍ଥ ହେଉଛି ଯେଉଁ ସ୍ଥାନରେ ଗୀତ ବାଜିବ ଦର୍ଶକମାନେ ନିୟମ ପାଳନ କରିବାକୁ ପଡିବ ଏବଂ ସେଠାରେ ଆଉ ଅଂଶଗ୍ରହଣ ସ୍ୱେଚ୍ଛାକୃତ ନୁହେଁ। ଯଦି ଏହା ହୁଏ, ତେବେ ଗୀତ ଏବଂ ସଂଗୀତ ମଧ୍ୟରେ କ’ଣ ପାର୍ଥକ୍ୟ ଅଛି? ଆହୁରି ମଧ୍ୟ କିଛି ଅଛି। ସମସ୍ତ ବିଦ୍ୟାଳୟରେ, ଜାତୀୟ ଗୀତ ଗାନ ସହିତ ଦିନର କାର୍ଯ୍ୟ ଆରମ୍ଭ ହୋଇପାରେ। ମୋ ମତରେ ଏହା ଆଗାମୀ ପିଢ଼ିରେ ଦେଶଭକ୍ତିର ସମାନ ସ୍ତର ଜାଗ୍ରତ କରିବା ପାଇଁ ଆବଶ୍ୟକ, ଯେପରି ଆମ ପିଢ଼ି ଏବଂ ଠିକ୍ ଆମ ପୂର୍ୱ ପିଢ଼ିରେ ଦେଖିବାକୁ ମିଳିଛି। ଏହାର ଅନ୍ୟ ଲାଭ ମଧ୍ୟ ଅଛି। ବେରୋଜଗାରମାନେ ଛଅଟି ପଦ ମନେ ରଖିବା ପାଇଁ ସେମାନଙ୍କ ଫାଙ୍କା ସମୟକୁ ଉପଯୋଗ କରିବେ। ଅଳସୁଆମାନେ ଅତିରିକ୍ତ ୩ ମିନିଟ ୧୦ ସେକେଣ୍ଡ ଠିଆ ହେବେ ଏବଂ ସେମାନଙ୍କର ଫିଟନେସ ଉନ୍ନତ କରିବେ। ଏଥିରେ ଦେଶର ପ୍ରଗତି ହେବ!