୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ ଅବ୍ୟାହତ: ଦିନକୁ ୨ ଘଣ୍ଟା ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ପ୍ରକାଶ ଯେ, ଗତ ଡିସେମ୍ବର ୨୬ରୁ ପ୍ରଥମେ ଗୋଟିଏ ଘଣ୍ଟା ଡାକ୍ତରମାନେ ଚିକିତ୍ସା ଛାଡି ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଚଳିତ ୫ରୁ ଦିନକୁ ୨ ଘଣ୍ଟା ଅର୍ଥାତ୍‌ ସକାଳ ୯ ଟାଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁଛି। ଫଳରେ ରୋଗୀ ସେବା ବ୍ୟାହତ ହୋଇଛି । ରୋଗୀମାନେ ସକାଳ ୮ଟାରୁ ପହଞ୍ଚି ଡାକ୍ତରଙ୍କୁ ଅପେକ୍ଷା କରିବାକୁ ପଡୁଛି । ଦିନ ୧୧ଟା ପରେ ଡାକ୍ତର ବର୍ହିଚିକିତ୍ସା ଚେମ୍ବରକୁ ଆସୁଛନ୍ତି। ସେହି ସମୟ ପର୍ଯ୍ୟନ୍ତ ରୋଗୀମାନେ ବହୁ ହଇରାଣ ଭୋଗୁଛନ୍ତି। ଆନ୍ଦୋଳନକୁ ନେଇ ଡାକ୍ତରଙ୍କୁ ରୋଗୀ ସେବା କରିବାକୁ ପରାମର୍ଶ ଦେବାସହ ସ୍ବାସ୍ଥ୍ୟସେବା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ତେଣୁ ଏହି ଧର୍ମଘଟକୁ ନିଷେଧ କରିବାକୁ ସରକାର ଘୋଷଣା କରିଥିବା କୁହାଯାଇଛି । ଏନେଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି ଯେ, ଆନ୍ଦୋଳନ ଅବ୍ୟାହତ ରହିଛି ରାଜ୍ୟ ସଂଗଠନ ର ନେତୃବୃନ୍ଦ ଯାହା ନିଷ୍ପତ୍ତି ନେବେ ତାକୁ ପାଳନ କରିବୁ । ଏଥିସହ ଜରୁରୀକାଳୀନ ସେବା ଅନ୍ତଃବିଭାଗରେ ସୁଚାରୁରୂପେ ପାଳନ କରାଯାଉଛି ବୋଲି ଆୟୁଷ ଡାକ୍ତରମାନେ କହିଛନ୍ତି।

Dharitri – The Largest & Most Trusted Odia Daily