କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା ଲଗାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲା ଥୁଆ ମୂଳ ରାମ ବ୍ଳକ ର ଗୋପାଳପୁର ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିଲେ। ସେତେବେଳେ ସଂଶ୍ଳିଷ୍ଟ ଏକ ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି।
ସୂଚନା ଅନୁସାରେ, ଦୁରିଆ ବର୍ତ୍ତମାନ କେସିଙ୍ଗା ବ୍ଲକର ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ ନମ୍ବର ୨୨/ ୨୦.୧୦.୨୦୨୧ ଅନ୍ତର୍ଗତ ମାମଲା ରଜୁ କରିଥିଲା।
ଅଭିଯୋଗ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୨୦ ହଜାର ଟଙ୍କା ବିଲ ପରିଶୋଧ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ଦାବି କରିବା ଓ ଗ୍ରହଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଚାର୍ଜସିଟ ଦାଖଲ ହୋଇଥିଲା। କୋରାପୁଟ ଡିଭିଜନର ଭିଜିଲାନ୍ସର ଡିଏସ୍ପି ସଦାନନ୍ଦ ପାଣି ମାମଲାର ତଦନ୍ତ କରିଥିବାବେଳେ, ସ୍ପେଶାଲ ପିପି ସୁଧୀର କୁମାର ପଣ୍ଡା ଏବଂ ଇମ୍ରାନ ଖାନ, ଭିଜିଲାନ୍ସ, ଭବାନୀପାଟଣା ଅଭିଯୋଜନ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଦୁରିଆଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି।
Dharitri – Odisha’s No.1 Odia Daily