ବୋଷ୍ଟନ୍: ଗତ ସପ୍ତାହରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ହୋଇଥିବା ଏକ ନିଲାମରେ ୨.୨୫
୨.୭୫ ଇଞ୍ଚ୍ର ଏକ ପାସ୍ପୋର୍ଟ ସାଇଜ୍ ଫଟୋ ୨୧,୬୫୫ ଡଲାର (ପ୍ରାୟ ୧୮ ଲକ୍ଷ ଟଙ୍କା)ରେ ନିଲାମ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଆର୍ଆର୍ ଅକ୍ସନ୍ ନାମକ ଏକ ସଙ୍ଗଠନ ଦ୍ୱାରା ଏହି ନିଲାମର ଆୟୋଜନ କରାଯାଇଥିଲା।
ଏହା କୌଣସି ସାଧାରଣ ପାସ୍ପୋର୍ଟ ସାଇଜ୍ ଫଟୋ ନ ଥିଲା ବରଂ ଏହା ପ୍ରସିଦ୍ଧ ହଲିଉଡ୍ ଅଭିନେତ୍ରୀ ମେରିଲିନ୍ ମୁନ୍ରୋଙ୍କ ଫଟୋ ଥିଲା। ମେରିଲିନ୍ ଏବଂ ତାଙ୍କ ଦ୍ୱିତୀୟ ସ୍ବାମୀ ତଥା ବେସ୍ବଲ୍ କିମ୍ବଦନ୍ତୀ ଜୋ ଡିମାଗିଓଙ୍କ ସହ ଜଡ଼ିତ ଏହା ଏକ ଐତିହାସିକ ଫଟୋ ଥିଲା।
୧୯୫୪ ଜାନୁଆରୀ ୨୯ରେ ମେରିଲିନ୍ ଏବଂ ଡିମାଗିଓ ସେମାନଙ୍କ ବିବାହର ୨ ସପ୍ତାହ ପରେ ଜାପାନକୁ ହନିମୁନ୍ ଏବଂ ବ୍ୟବସାୟିକ ଯାତ୍ରା ପାଇଁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଉଭୟେ ପାସ୍ପୋର୍ଟ ପାଇଁ ଆବେଦନ କରିଥିଲେ। ତେବେ ସେତେବେଳେ ମେରିଲିନ୍ଙ୍କ ନିକଟରେ ପାସପୋର୍ଟ ସାଇଜ୍ ଫଟୋ ନଥିଲା। ତେଣୁ ଡିମାଗିଓ ପୂର୍ବରୁ ଥିବା ମେରିଲିନ୍ଙ୍କ ଏକ ଫଟୋକୁ ଅବିକଳ ପାସପୋର୍ଟ ଆକାରର ଫଟୋ ରୂପେ ପ୍ରସ୍ତୁତ କରିଥିଲେ। ମେରିଲିନ୍ ଉକ୍ତ ଫଟୋରେ ଲାଲ୍ ଶ୍ୟାହିରେ ନିଜ ନାମ ମେରିଲିନ୍ ମୁନ୍ରୋ ଡିମାଗିଓ ଲେଖି ପାସ୍ପୋର୍ଟ ଅଧିକାରୀ ହ୍ୟାରି ଇ. ବୋଲ୍ଡସ୍ଙ୍କ ନିକଟରେ ଦାଖଲ କରିଥିଲେ। ଯଦିଓ ହ୍ୟାରି ଉକ୍ତ ଫଟୋକୁ ମେରିଲିନ୍ଙ୍କ ପାସ୍ପୋର୍ଟରେ ଅନ୍ତର୍ଭୁକ୍ତ କରି ନ ଥିଲେ, ତଥାପି ସେ ଏହାକୁ ନିଜ ପାଖରେ ସୁରକ୍ଷିତ ରଖିଥିଲେ। ଘଟଣାର ପ୍ରାୟ ୭ ଦଶନ୍ଧି ପରେ ମେରିଲିନଙ୍କ ଉକ୍ତ ଫଟୋ ପ୍ରାୟ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ମେରିଲିନ୍ ଏବଂ ଡିମାଗିଓଙ୍କ ବିବାହ ମାତ୍ର ୯ ମାସ ପର୍ଯ୍ୟନ୍ତ ତିଷ୍ଠିଥିଲେ ମଧ୍ୟ ଏହି ଫଟୋ ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମର ଝଲକ୍କୁ ଦର୍ଶାଉଥିଲା। ଆଜି ବି ଉଭୟଙ୍କ ପ୍ରଭାବ ଲୋକଙ୍କ ମଧ୍ୟରେ ରହିଛି, ତାହା ଏହି ନିଲାମ ପ୍ରମାଣିତ କରିଛି ବୋଲି ଆର୍ଆର୍ ଅକ୍ସନ୍ ପକ୍ଷରୁ କୁହାଯାଇଛି।