ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ସଙ୍କଟରେ ପଡ଼ିଥିଲା। ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣର ମାତ୍ର କିଛି ମିନିଟ ପୂର୍ବରୁ ଅର୍ଥାତ୍‌ ରାତି ପ୍ରାୟ ୧୦ଟା ୨୦ରେ ବିମାନର ଜରୁରିକାଳୀନ (ଏମରଜେନ୍ସି) ଦ୍ୱାର ଖୋଲିବାକୁ ଚେଷ୍ଟା କରି ସମସ୍ତଙ୍କୁ ଆତଙ୍କିତ କରିଦେଇଥିଲେ ଯୁବକ ମହମ୍ମଦ ଅଦନାନ। ତେବେ ‘ଭୂତ ପ୍ରଭାବ’ରେ ସେ ଏପରି କରିଥିବା ପୋଲିସକୁ କହିଛନ୍ତି।
ଉଡ଼ାଣ ଆରମ୍ଭରୁ ହିଁ ଅଦନାନ ସନ୍ଦେହଜନକ ଆଚରଣ କରୁଥିଲେ। ବିମାନ ଟେକ୍‌-ଅଫ୍‌ କରିବା ପରେ ମଧ୍ୟ ସେ ବିମାନର ଏମରଜେନ୍ସି ଏକ୍ସିଟ ବଟନ୍‌ ଚିପି ଦ୍ୱାର ଖୋଲିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ କ୍ରୁ ସଦସ୍ୟମାନେ ଅଟକାଇ ଦେଇଥିଲେ। ବିମାନଟି ବାରାଣସୀ ରନ୍‌ୱେ ଛୁଇଁବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ଅଘଟଣ ଘଟିଥିଲା। ବିପଦକୁ ଆଖି ଆଗରେ ରଖି ପାଇଲଟ ତୁରନ୍ତ ଲ୍ୟାଣ୍ଡିଂ ରଦ୍ଦ କରି ବିମାନକୁ ପୁଣି ଉପରକୁ ନେଇଯାଇଥିଲେ, ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇପାରିଛି। ପରେ ରାତି ପ୍ରାୟ ୧୦ଟା ୩୫ରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହାପରେ

ପୋଲିସ ଅଦନାନଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ପ୍ରଥମେ କହିଥିଲେ ଯେ କୌଣସି ଅଦୃଶ୍ୟ ଶକ୍ତି ବା ଭୂତର ପ୍ରଭାବରେ ଏପରି କରିଛନ୍ତି। ପରେ ଉକ୍ତ ବଟନ ଚିପିଲେ କବାଟ ଖୋଲିଯିବ ବୋଲି ଜାଣି ନ ଥିବା କହିଛନ୍ତି। ଇଣ୍ଡିଗୋ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୫ (ଅନ୍ୟର ଜୀବନ ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପଚରାଉଚରା ପରେ ଅଭିଯୁକ୍ତଙ୍କୁ ନୋଟିସ ଜାରି କରାଯାଇ ତାଙ୍କ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଛି।

 

Dharitri – Odisha’s No.1 Odia Daily

 

Share