Categories: Home Leftଖେଳ

ପାରୁଲ, ଅନୁଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୋ, ୪।୧୦ (ପି.ଟି.): ଏସିଆନ ଗେମ୍ସର ଆଥ୍‌ଲେଟିକ୍ସ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀମାନେ ମଙ୍ଗଳବାର ୨ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପାରୁଲ ଚୌଧାରୀ ୫୦୦୦ ମିଟର ରେସ୍‌ ଏବଂ ଅନୁ ରାଣୀ ମହିଳା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାକୁ ମିଶାଇ ଭାରତୀୟ ଆଥ୍‌ଲେଟମାନେ ଟ୍ରାକ୍‌ ଆଣ୍ଡ ଫିଲ୍ଡରୁ ଗୋଟିଏ ଦିନରେ ୬ ପଦକ ପାଇଛନ୍ତି। ୨୮ ବର୍ଷୀୟା ପାରୁଲ ରେସ୍‌ର ଶେଷ ଭାଗରେ ଜାପାନର ରିରିକା ହିରୋନିକାଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ। ମାତ୍ର ଶେଷ ୪୦ ମିଟରରେ ସେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପାରୁଲ ୧୫:୧୪.୭୫ ସେକେଣ୍ଡ ସମୟ ନେଇଥିଲେ। ଚଳିତ ଏସିଆନ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ। ପୂର୍ବରୁ ସେ ଗତ ସୋମବାର ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ରୌପ୍ୟ ପଦକ ଅର୍ଜନ କରିଥିଲେ। କାଜାଖସ୍ତାନର କାରୋଲିନ ଚେପ୍‌କୋଏଚ୍‌ କିପକିରୁଇ ବ୍ରୋଞ୍ଜ ପଦକ ପାଇଥିଲେ। ଅନ୍ୟପକ୍ଷରେ ୩୧ ବର୍ଷୀୟା ଅନୁ ମହିଳା ଜାଭେଲିନ୍‌ ଥ୍ରୋରେ ସିଜନ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ହାସଲ କରିଛନ୍ତି। ନିଜର ଚତୁର୍ଥ ଉଦ୍ୟମରେ ସେ ୬୨.୯୨ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରିଥିଲେ। ଏହା ସ୍ବର୍ଣ୍ଣ ପଦକ ହାସଲ ପାଇଁ ପର୍ଯ୍ୟାପ୍ତ ହୋଇ ଯାଇଥିଲା। ଶ୍ରୀଲଙ୍କାର ନଦିଶା ଦିହାନ ଓ ଚାଇନାର ହୁଇହୁଇ ଲ୍ୟୁ ଯଥାକ୍ରମେ ୬୧.୫୭ ଓ ୬୧.୨୯ ମିଟର ସହ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ପୁରୁଷ ୮୦୦ ମିଟର ଓ ଟ୍ରିପଲ ଜମ୍ପରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ମହମ୍ମଦ ଅଫଜାଲ ପୁଲିକ୍କାଲାକାଥ ଓ ପ୍ରବୀନ ଚିଥାରାଭେଲ ଭାରତକୁ ଗର୍ବିତ କରିଥିବାବେଳେ ପୁରୁଷ ଡେକାଥଲନରେ ତେଜସ୍ବିନୀ ଶଙ୍କର ରୌପ୍ୟ ଏବଂ ମହିଳା ୪୦୦ ମିଟର ହର୍ଡଲ୍ସରେ ବିଦ୍ୟା ରାମରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।