ବିଭାଜନ ରାଜନୀତି

ନିର୍ବାଚନ ବିଜୟ ଏକ ରାଜନୈତିକ ଦଳର କାର୍ଯ୍ୟକଳାପକୁ ସିଦ୍ଧ କରେ। ଏହାକୁ ସାମାଜିକ ଓ ସରକାରୀ ଭାବେ ସ୍ବୀକାର କରାଯାଉଥିଲେ ବି ଦଳ ସେଗୁଡ଼ିକୁ ସତ୍ୟସିଦ୍ଧ ବୋଲି ସ୍ବୀକାର କରେ ନାହିଁ। କିନ୍ତୁ ତାହାକୁ କେବଳ ତଥ୍ୟ ଆଧାରରେ ହିଁ ସତ୍ୟସିଦ୍ଧ କରାଯାଇପାରେ। ଅସଲ କଥାକୁ ସ୍ବୀକାର ନ କରି ଜଣେ ଦାବି କରିପାରିବେ ଯେ, ଗୋଟିଏ ଦଳର ଜନକଲ୍ୟାଣକାରୀ କାର୍ଯ୍ୟ, ଶାସକୀୟ କିମ୍ବା ସେବା ଯୋଗାଇଦେବାର ଦକ୍ଷତା ଯୋଗୁ ଭୋଟରମାନେ ତା’ପ୍ରତି ଆକର୍ଷିତ ହେଲେ। ଉତ୍ତରପ୍ରଦେଶ(ୟୁପି) ଓ ଅନ୍ୟ ରାଜ୍ୟ ନିର୍ବାଚନରେ ଭାଜପାର ସଫଳତା ପରିପ୍ରେକ୍ଷୀରେ ଏଭଳି କୁହାଯାଉଛି। ସେଠାରେ ସାମ୍ପ୍ରଦାୟିକତାକୁ ପଛକୁ ରଖି ଭାଜପା ବିକାଶର କଥା କହୁଛି। ଭାଜପା ଜିତିଲେ ସବୁବେଳେ ଏଭଳି କହିଥାଏ ଓ ଆଗକୁ ବି କହିବ। ପ୍ରତ୍ୟକ୍ଷ ଭାବେ ସାମ୍ପ୍ରଦାୟିକତାକୁ ସହ୍ୟ କରୁ ନ ଥିବା ଏକ ବିଶ୍ୱ ଓ ସମ୍ବିଧାନ ମଧ୍ୟରେ କାର୍ଯ୍ୟ କରୁଥିବାରୁ ଭାଜପା ଧର୍ମନିରପେକ୍ଷ ମାନ୍ୟତା ଆବଶ୍ୟକ କରି ଏଭଳି କହିଚାଲିବ। ଏହି କାରଣରୁ ଭାଜପାର ସମର୍ଥକମାନେ ଏହାର ସଫଳତାକୁ ସିଦ୍ଧ କରିବା ଲାଗି ଅଣ ସାମ୍ପ୍ରଦାୟିକ ପ୍ରସଙ୍ଗଗୁଡ଼ିକୁ ଦୋହରାଇବାର ଆବଶ୍ୟକତା ରହିଛି ବୋଲି ଅନୁଭବ କରୁଛନ୍ତି। ପଶ୍ଚିମବଙ୍ଗରେ ଯେଉଁମାନେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଜୟୀ ହେଉ ବୋଲି ଚାହଁୁଥିଲେ ସେମାନେ ବାସ୍ତବରେ ଭାଗ୍ୟବାନ୍‌। ସେମାନେ ଭାଜପା ଉପରେ ଟିଏମ୍‌ସିର ବିଜୟ ଦେଖିଲେ। ଏହା ଜନକଲ୍ୟାଣବାଦ କିମ୍ବା ଦକ୍ଷ ଶାସନ କିମ୍ବା ପ୍ରବର୍ତ୍ତକ ନେତୃତ୍ୱର ସଫଳତା ହେଲା ବୋଲି ସେମାନେ ବାହାନା କରି ନ ଥିଲେ। ସେମାନେ କେବଳ ଚିନ୍ତାମୁକ୍ତ ହେଲେ ଯେ, ଦେଶକୁ ଖଣ୍ଡବିଖଣ୍ଡିତ କରୁଥିବା ଏକ ବିଭାଜନକାରୀ ବିଚାରଧାରାକୁ ଗୋଟିଏ ରାଜ୍ୟ ବା କ୍ଷେତ୍ରରେ ରୋକି ଦିଆଗଲା। ବଡ଼ ସଫଳତା ହାସଲ କରିବାକୁ ଚାହଁୁଥିବା ଭାଜପା ଏବଂ ତା’ ସମର୍ଥକ ଦଳଗୁଡ଼ିକ ଏହାର କାରଣ ଭଲ ଭାବେ ଜାଣିପାରିଥିବେ। ତେବେ କେଉଁ କାରଣରୁ ମାର୍ଚ୍ଚ ୧୦ରେ ଭାଜପାର ବିଜୟ ହେଲା ତାହା ଆମ ସାମ୍ନାରେ ରହିଛି। ଭାଜପା ନିର୍ବାଚନରେ କ’ଣ କଲା ଓ ଭୋଟରମାନଙ୍କୁ କ’ଣ କହିଲା; ତା’ର ନେତାମାନେ କିପରି ବ୍ୟବହାର କଲେ ଏବଂ କ’ଣ ସବୁ କହିଲେ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ସେମାନେ କାହା ପାଇଁ କେଉଁ ନାମରେ ଭୋଟ ମାଗିଲେ ତାହା ବି ଗୁରୁତ୍ୱପୂର୍ଣ୍ଣ। ୟୁପି ମୁଖ୍ୟମନ୍ତ୍ରୀ କହନ୍ତି, ୮୦ ବନାମ ୨୦ ହିଁ ଏକ ବାସ୍ତବତା। ଏହା ନିଶ୍ଚତ ଭାବେ ୮୦ ବନାମ ୨୦ର ଏକ ନିର୍ବାଚନ। ଭାଜପା ବାସ୍ତବରେ ଭୋଟ ପାଇଁ ଭାରତୀୟମାନଙ୍କୁ ଧର୍ମ ନାମରେ ବିଭାଜନ କରୁଛି ଓ ଏହା ଜାରି ରଖିଛି। ସେବା ଯୋଗାଇଦେବା ଏବଂ ପ୍ରଦର୍ଶନ ଆଧାରରେ ଯଦି ଭୋଟ ମିଳିବ ବୋଲି ବିଶ୍ୱାସ କରାଯାଏ ତେବେ କାହିଁକି ଏହା ଏଭଳି କାର୍ଯ୍ୟରେ ଲିପ୍ତ ରହୁଛି? ଏହାର ଉତ୍ତର ଜଣେ ନ ଜାଣିବା ମଧ୍ୟ ଏକ ବିଚିତ୍ର କଥା।
ଚଳିତ ମାସରେ ହରିୟାଣା ଲଭ୍‌ ଜିହାଦ ବିରୋଧରେ ଆଇନ ଆଣିଛି। ୨୦୧୮ ପରଠାରୁ ସପ୍ତମ ଭାଜପା ଶାସିତ ରାଜ୍ୟ ଭାବେ ଏହା କରିଛି। ଫେବୃୟାରୀ ୨୦୨୦ରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଲୋକ ସଭାରେ କହିଥିଲେ, ଭାରତରେ କୌଣସି ଲଭ୍‌ ଜିଦାଦ କେସ୍‌ ନାହିଁ ଏବଂ ଏହି ଘଟଣା ମଧ୍ୟ ଘଟୁନାହିଁ। ତେବେ ୟୁପି (୨୦୨୦ରେ ଲଭ୍‌ ଜିହାଦ ଆଇନ୍‌ ପାସ୍‌ କରିଛି) ସମେତ ଭାଜପା ଶାସିତ ରାଜ୍ୟଗୁଡ଼ିକ କାହଁିକି ଲଭ୍‌ ଜିହାଦକୁ ବିରୋଧ କରୁଛନ୍ତି। ସଂଖ୍ୟାଲଘୁ ମୁଖ୍ୟତଃ ମୁସଲମାନମାନଙ୍କୁ ଲଗାତର ନିର୍ଯାତନା ଦେଉଥିବା ଭାଜପା କ’ଣ ଚାହଁୁଛି ଓ କରୁଛି ସେ ସମ୍ପର୍କରେ ଧାରଣା ନ ଥିବା ଲୋକମାନଙ୍କୁ ଏଭଳି ପ୍ରଶ୍ନ ପଚାରିବା ଦରକାର। ଏହା ହାସ୍ୟାସ୍ପଦ ଯେ, ଭାଜପା ତା’ଭୋଟରମାନଙ୍କୁ କ’ଣ କହୁଛି ତାହା ପ୍ରତି ନଜର ନ ଦେଇ ବିଶ୍ଳେଷକ ଏବଂ ସମର୍ଥକମାନେ ଭୋଟରମାନଙ୍କ ପାଇଁ କ’ଣ ପ୍ରସଙ୍ଗ ରହିଥିଲା ତା’ ଉପରେ ଜୋର ଦେଉଛନ୍ତି। ଭାଜପା ୟୁପିରେ ଲଗାତର ୪ଟି (୨୦୧୪, ୨୦୧୭, ୨୦୧୯, ୨୦୨୨) ନିର୍ବାଚନରେ ୪୦%ରୁ ଅଧିକ ଭୋଟ ପାଉଛି। ୟୁପି ସରକାରଙ୍କ ପ୍ରଦର୍ଶନ ଆଧାରରେ ଏହି ଭୋଟ ମିଳୁଛି ବୋଲି ବିଶ୍ୱାସ କରିବା ଭଳି କଥା ଆମକୁ କୁହାଯାଉଛି। ହେଲେ ମନ୍ଦିର, ଗୋମାଂସ, ଲଭ୍‌ ଜିହାଦ ଉପରେ ଲଗାତର ଗୁରୁତ୍ୱ ଦିଆଯିବା ଏବଂ ସେମାନେ ସୃଷ୍ଟି କରୁଥିବା ହିଂସା ସମ୍ପର୍କରେ କିଛି କୁହାଯାଉ ନାହଁି। ଏହାକୁ ବିଚାର କଲେ ଜଣାଯାଏ ଯେ, ସାମ୍ପ୍ରଦାୟିକ କ୍ଷେତ୍ରରେ ଘଟୁଥିବା କ୍ଷତି ଯଦି ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ଏହା ଭାଜପାର ନିର୍ବାଚନୀ ସଫଳତା ପାଇଁ କେବଳ ଗୌଣ, ତେବେ କାହିଁକି ସେମାନଙ୍କ ନେତାମାନେ ଏହା ଉପରେ ଏତେ ଜୋର୍‌ ଦେଉଛନ୍ତି। ଯଦି ଭାଜପା ସଙ୍ଗୀତର ମୁଖ୍ୟ ବିଷୟ ବିକାଶ ଓ ସେବା ଯୋଗାଣ ବ୍ୟବସ୍ଥାଭିତ୍ତିକ ତେବେ ତାହା କାହିଁିକି ସଂଖ୍ୟାଲଘୁମାନଙ୍କୁ ଏହା ନିରୁତ୍ସାହିତ ବା ଅସନ୍ତୁଷ୍ଟ କରୁଛି। ଏହାର କାରଣ ହେଉଛି,ଏହି ସଙ୍ଗୀତ ବିକାଶ କିମ୍ବା ସେବା ଯୋଗାଣ ସମ୍ପର୍କିତ ନୁହେଁ। ଏହି ସଙ୍ଗୀତ ବାସ୍ତବରେ ସମ୍ପ୍ରଦାୟବାଦ ଓ ବିଭାଜନଭିତ୍ତିକ। କେବଳ ଏତିକି ନୁହେଁ,ଏହା ଘୃଣା ଓ ହିଂସାଭାବରେ ପରିପୂର୍ଣ୍ଣ।
ଭାଜପା ସବୁବେଳେ ଏଭଳି କରିଆସୁଛି। ଭାଜପା(ଜନସଂଘ ଭାବେ) ଗଠନ ହେବା ପରଠାରୁ ୧୯୯୦ ଯାଏ ଭାରତରେ କୌଣସି ରାଜ୍ୟରେ ବହୁମତ ପାଇ ନ ଥିଲା। ୧୯୯୦ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଏବଂ ପରେ ଉତ୍ତରପ୍ରଦେଶରେ ଭାଜପା ସରକାର ଆସିଥିଲା। ଚାରି ଦଶନ୍ଧି ଧରି ଏହାର ଜାତୀୟ ଭୋଟ ହାର ଏକ ଅଙ୍କରେ ସୀମିତ ରହିଥିଲା। ଏହା ହଠାତ୍‌ ୧୮%କୁ ବୃଦ୍ଧିପାଇଲା ଓ ପରେ ଦୁଇଗୁଣ ହୋଇଗଲା। କମ୍‌ ସମୟରେ ଦେଶରେ ଭାଜପା ଏତେ ଲୋକପ୍ରିୟତା ହାସଲ କରିବାର କାରଣ ରହିଛି। ଅବଶ୍ୟ ଅଯୋଧ୍ୟାର ବାବ୍ରି ମସ୍‌ଜିଦ ବିରୋଧରେ ହିନ୍ଦୁମାନଙ୍କୁ ଏକାଠି କରିବା ଅଭିଯାନ ଯୋଗୁ ଏହା ହୋଇଥିଲା। ସେତେବେଳେ କୌଣସି ସରକାର ତରଫରୁ ସେବା ଯୋଗାଇ ଦିଆଯିବା ଏବଂ ଭୋଟରଙ୍କୁ କିଛି ଦେଖାଇବା ଭଳି ବିଷୟ ଉପରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥିଲା। ଏବେ ମଧ୍ୟ ତାହା ହୋଇନାହିଁ। ଭବିଷ୍ୟତରେ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ଏହି ଧାରା ଜାରି ରହିବ କି ନାହିଁ ତାହା ସମୟ କହିବ। ତେବେ ଭାଜପା ସାମ୍ପ୍ରଦାୟିକ ବିଭାଜନକୁ ଆଧାର କରି ଭୋଟ ନେଇ ପରିଣାମ ଆସିବା ପରେ ଏବେ ବିକାଶର କଥା ଜୋର୍‌ରେ କହୁଛି।

  • ଆକାର ପଟେଲ

Email:aakar.patel@gmail.com