ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କଲା ସଂସଦ

ନୂଆଦିଲ୍ଲୀ,୧୯ା୮: ବିରୋଧୀ ସଦସ୍ୟମାନଙ୍କ ଅନୁପସ୍ଥିତି ମଧ୍ୟରେ ସଂସଦ ସୋମବାର ଭାରତୀୟ ବାୟୁସେନା ପାଇଲଟ୍‌ ତଥା ଗ୍ରୁପ୍‌ କ୍ୟାପ୍‌ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିଛି। ନିକଟରେ ସେ ଆକ୍ସିଓମ୍‌-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ସଫଳତାର ସହ ଯାତ୍ରା କରି ଦେଶ ପାଇଁ ଗର୍ବ ଆଣିବା ସହ ଜାତୀୟ ପ୍ରତୀକ ପାଲଟଛନ୍ତି। ଭାରତୀୟ ମହାକାଶ ଅନ୍ବେଷଣରେ ଏହା ଏକ ନୂଆ ଅଧ୍ୟାୟ ବୋଲି ପାର୍ଲାମେଣ୍ଟ କହିଛି।
ଶୁଭାଂଶୁ ରବିବାର ଆମେରିକାରୁ ନୂଆଦିଲ୍ଲୀ ଫେରିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କ ମହାକାଶ ଯାତ୍ରାର ସଫଳତା ଉପରେ ସଂସଦରେ ସୋମବାର ସ୍ବତନ୍ତ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ତେବେ ବିରୋଧୀ ସଦସ୍ୟମାନେ ସ୍ବତନ୍ତ୍ର ଆଲୋଚନାକୁ ବର୍ଜନ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସ୍ମରଣୋତ୍ସବର ନେତୃତ୍ୱ ନେଇ ଶୁକ୍ଳାଙ୍କ ସଫଳତାର ଉଚ୍ଚ ପ୍ରଶଂସା କରିବା ସହ ଭାରତର ମହାକାଶ ଆକାଂକ୍ଷା ପାଇଁ ଏହା ଉଲ୍ଲେଖନୀୟ ଘଟଣା ବୋଲି କହିଥିଲେ। ବିରୋଧୀ ଦଳ ସରକାରଙ୍କ ଉପରେ ରାଗି ପାରନ୍ତି, କିନ୍ତୁ ଜଣେ ଭାରତୀୟ ମହାକାଶଚାରୀ, ଗଗନୟାତ୍ରୀ ଏବଂ ବାୟୁସେନାର ଉତ୍ସର୍ଗୀକୃତ ପାଇଲଟ୍‌ଙ୍କ ବୀରତ୍ୱକୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ବିରୋଧୀ ଆଲୋଚନାରେ ଭାଗ ନେଇ ନ ଥିବାବେଳେ କଂଗ୍ରେସ ଏମ୍‌ପି ଶଶୀ ଥରୁର Xରେ ଏକ ପୋଷ୍ଟ ଜରିଆରେ ଗ୍ରୁପ୍‌ କ୍ୟାପ୍‌ଟେନ ଶୁଭାଂଶୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ମାନବ ମହାକାଶ ମହତ୍ତ୍ୱାକାଂକ୍ଷାର ସେ ଜଣେ ପ୍ରଭାବଶାଳୀ ପ୍ରତୀକ ଏବଂ ଆଗାମୀ ଗଗନୟାନ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଧାର ଶିଳା ବୋଲି ଥରୁର କହିଛନ୍ତି।
ଶୁଭାଂଶୁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେ ଆକ୍ସିଓମ୍‌-୪ ମିଶନ ପ୍ୟାଚ୍‌ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବା ସହ ଆଇଏସ୍‌ଏସ୍‌ରୁ ଉଠାଇଥିବା ପୃଥିବୀର ଫଟୋ ଦେଖାଇଥିଲେ। ସୂଚନାଯୋଗ୍ୟ, ଶୁଭାଂଶୁ ଜୁନ୍‌ ୨୫ରେ ଫ୍ଲୋରିଡ଼ାରୁ ଆକ୍ସିଓମ୍‌-୪ ସ୍ପେସ୍‌ ମିଶନରେ ଆଇଏସ୍‌ଏସ୍‌କୁ ଯାଇ ଜୁଲାଇ ୧୫ରେ ପୃଥିବୀକୁ ଫେରିଥିଲେ। ୧୮ ଦିନର ରହଣି ମଧ୍ୟରେ ସେ ଓ ଅନ୍ୟ ମହାକାଶଚାରୀମାନେ ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ।

Share