ପାର୍ଲାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ, ୭।୪ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନିଦ୍ଧାରିତ କାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଶେଷ ହୋଇଛି। କଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଗୁରୁବାର ରାଜ୍ୟ ସଭାରେ ଆଲୋଚିତ ହୋଇଥିଲା। ଭାଜପା ନେତା ସୁଶୀଲ ମୋଦି କହିଥିଲେ ଯେ ୩୨ ବର୍ଷ ହେଲା କଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ମିଳିନାହିଁ। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ।

ଏସ୍‌ଆଇଟି ୨୦୦ରୁ ଅଧିକଏଫ୍‌ଆଇଆର ଅନୁସନ୍ଧାନ କରିବା ଉଚିତ ବୋଲି ସେ କହିଥିଲେ। ସିବିଆଇ ଏବଂ ଏନଆଇଏ ଭଳି ଏଜେନ୍ସି ମଧ୍ୟ ଏହି ଅନୁସନ୍ଧାନରେ ସାମିଲ ହେବା ଆବଶ୍ୟକ ବୋଲି ସୁଶୀଲ କହିଥିଲେ।

ଲୋକ ସଭାରେ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ ଯେ ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଗ୍ୟାସର ମୂଲ୍ୟ ଯେପରି ବଢୁଛି ତାହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।

ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ ରେ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ପର୍ଯ୍ୟାୟ ବଜେଟ ଉପସ୍ଥାପନା ପରେ ଫେବୃଆରୀ ୧୧ରେ ଶେଷ ହୋଇଥିଲା। ଏଥି ସହିତ, ମାର୍ଚ୍ଚ ୧୪ ରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ ୮ ରେ ଏହା ଶେଷ ହୋଇଥାନ୍ତା। ମାତ୍ର ଦିନକ ପୂର୍ବରୁ ଏହାକୁ ଶେଷ କରାଯାଇଛି। ୧୭ତମ ଲୋକସଭାର ଅଷ୍ଟମ ଅଧିବେଶନ ଶେଷରେ ଲୋକ ସଭାରେ ବାଚସ୍ପତିଙ୍କ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଉଥିବା ଘୋଷଣା କରିଛନ୍ତି।

ବଜେଟ ଅଧିବେଶନରେ ସମୁଦାୟ ୨୭ ଟି ସିଟିଂ ଅନୁଷ୍ଠିତ ହୋଇଥିଲା। ଯାହା ପ୍ରାୟ ୧୭୭ ଘଣ୍ଟା ୫୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା।

Share